ଓଡ଼ିଶାଲାଇଭ୍ ବ୍ୟୁରୋ

“ଭାରତ ଇତିହାସରେ ଲିପିବଦ୍ଧ ହୋଇ ରହିବ ୫ ଅଗଷ୍ଟ। ଆଜିର ଦିନକୁ କୌଣସି ଭାରତୀୟ ଭୁଲିପାରିବେ ନାହିଁ। ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା। ଏହି ଦିନ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଚଳିତ ବର୍ଷ ଭାରତୀୟ ହକି ପୁରୁଷ ଟିମ ଦୀର୍ଘ ୪୧ବର୍ଷ ପରେ ମେଡାଲ ଜିତି ଇତିହାସ ରଚିଛି”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଗୁରୁବାର ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ’ ଯୋଜନା ସମ୍ପର୍କରେ ଉତ୍ତରପ୍ରଦେଶର ଲୋକମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥାବାର୍ତ୍ତା ହେବା ସମୟରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ।ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଂସଦୀୟ ମର୍ଯ୍ୟାଦା କ୍ଷୂଣ୍ଣ ନେଇ ବିରୋଧୀଙ୍କ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, “ଦେଶର ଆଥଲେଟମାନେ ଖେଳରେ ଗୋଲ୍ ପରେ ଗୋଲ୍ କରିବାରେ ବ୍ୟସ୍ତ କିନ୍ତୁ କିଛି ବ୍ୟକ୍ତି ରାଜନୈତିକ ସ୍ଵାର୍ଥ ହାସଲରେ ଲାଗିପଡ଼ିଛନ୍ତି। ସଂସଦ ମୌସୁମୀ ଅଧିବେଶନରେ ବିରୋଧୀମାନେ ପ୍ରତିଦିନ ହଙ୍ଗାମା କରୁଛନ୍ତି। ଏହାଦ୍ଵାରା ଜନଭାବନାର ଅପମାନ ହେବାସହ ଦେଶର ହିତ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହେଉଛି।”

ସେ ଆଉ ମଧ୍ୟ କହିଛନ୍ତି, “ବିଗତ କିଛି ଦିନ ହେବ ଦେଶ ଗୋଟିଏ ପରେ ଗୋଟିଏ ରେକର୍ଡ ହାସଲ କରୁଛି। ଏବେ ଟୋକିଓ ଅଲିମ୍ପିକ୍ସରେ ଦେଶର ଖେଳାଳିମାନେ ଭଲ ପ୍ରଦର୍ଶନ କରି ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ଗର୍ବିତ କରୁଛନ୍ତି।”

Comment