ଓଡ଼ିଶାଲାଇଭ୍ ବ୍ୟୁରୋnational digital health mission benefits

ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏବେ ଏହାର ଡିଜିଟାଲ ମିଶନକୁ ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିବା ସହ ଆୟୁଷ୍ମାନ ଭାରତର ଡିଜିଟାଲ ମିଶନ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇଛନ୍ତି।ଏହି ଅବସରରେ ମୋଦୀ କହିଛନ୍ତି, “ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ବଡ ନିଷ୍ପତ୍ତି, ଯାହାର ଫାଇଦା ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ଉଠାଇ ପାରିବେ। ଆୟୁଷ୍ମାନ ଭାରତର ଡିଜିଟାଲ ମିଶନରେ ପ୍ରତ୍ୟେକ ଲୋକ ଏକ ସ୍ୱତନ୍ତ୍ର ଆଇଡି କାର୍ଡ ପାଇବେ। ଏହି କାର୍ଡରେ ଜଣେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ବିବରଣୀ ରହିବ। ଏହି ରେକର୍ଡକୁ ସବୁ ସ୍ଥାନରେ ବ୍ୟବହାର କରାଯାଇପାରିବ। ସବୁଠୁ ବଡ଼ କଥା ହେଲା କାର୍ଡରେ ଥିବା ତଥ୍ୟ ଗୋପନୀୟତା ଆଧାରରେ ସୁରକ୍ଷିତ ରହିବ।”

ଏହି ଯୋଜନା ଦ୍ୱାରା ମୁଖ୍ୟତଃ ଦେଶର ଗରିବ ଏବଂ ମଧ୍ୟବିତ ଶ୍ରେଣୀର ପରିବାର ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ କୁହାଯାଉଛି। ଗତତର୍ଷ ସ୍ୱାଧୀନତା ଦିବସ ଅବସରରେ ମୋଦୀ ଏହି ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନ ବାବଦରେ ଘୋଷଣା କରିଥିଲେ। ପ୍ରାଥମିକ ଭାବରେ ଦେଶର ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରୀକ୍ଷାମୂଳକ ଭାବରେ ଏହା ଆରମ୍ଭ ହୋଇଥିଲା।ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଜରିଆରେ ପ୍ରତ୍ୟେକ ଲୋକଙ୍କର ଏକ ସ୍ୱାସ୍ଥ୍ୟ କାର୍ଡ ତିଆରି ହେବ। ଏହି  ଆଇଡି କାର୍ଡରେ ହିତାଧିକାରୀଙ୍କ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ରେକର୍ଡ ରହିବ। ହସ୍ପିଟାଲ କିମ୍ବା ଡାକ୍ତରଙ୍କ ପାଖକୁ ଯିବାବେଳେ ପୁରୁଣା ପ୍ରେସକ୍ରିପସନ ନଥିଲେ ବି କୌଣସି ଅସୁବିଧା ହେବ ନାହିଁ। ହିତାଧିକାରୀଙ୍କ ବିନା ଅନୁମତିରେ ସ୍ୱାସ୍ଥ୍ୟ ରେକର୍ଡର ଆଦାନ ପ୍ରଦାନ ହୋଇପାରିବ ନାହିଁ। ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ରେକର୍ଡ ଗୋପନୀୟତା ସୁରକ୍ଷିତ ରହିବ। ଆଧୁନିକ ଏବଂ ପାରମ୍ପରିକ ଚିକିତ୍ସା ପ୍ରଣାଳୀର ସ୍ୱାସ୍ଥ୍ୟ ରେକର୍ଡ ବି ରହିବ। ହେଲଥ କେୟାର ପ୍ରୋଫେସନାଲ ଏବଂ ହେଲଥ କେୟାର ସୁବିଧା ରେଜିଷ୍ଟ୍ରି ରେକର୍ଡ ରହିବ।

ସ୍ୱାସ୍ଥ୍ୟସେବା ପ୍ରଦାନ କରିବାବେଳେ ହସ୍ପିଟାଲ ଏବଂ ଡାକ୍ତରଙ୍କୁ ଚିକିତ୍ସା କରିବା ସହଜ ହେବ। ଆଇଡି କାର୍ଡରେ ୧୪ ଅଙ୍କ ବିଶିଷ୍ଟ ଏକ ନମ୍ବର ରହିବ ଏବଂ ହେଲଥ ଆକାଉଣ୍ଟ ଭଳି ଏହା କାମ କରିବ। ମୋବାଇଲ ଆପ୍ ଜରିଆରେ ଆବଶ୍ୟକ ତଥ୍ୟ ପ୍ରଦାନ କରିହେବ ଏବଂ ଆଇଡି କାର୍ଡ ମଧ୍ୟ ତିଆରି କରିହେବ। ଏହି କାର୍ଡ ତିଆରି ବେଳେ କେବଳ ମୋବାଇଲ ନମ୍ବର ଆବଶ୍ୟକ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ମୋଦୀ ସରକାରଙ୍କ ଡିଜିଟାଲ ମିଶନ କ୍ଷେତ୍ରରେ ଏହା ଏକ ଉଲ୍ଲେଖନୀୟ ଅବଦାନ। ଯଦି ଏହାକୁ ଠିକ ଭାବେ କାର୍ଯ୍ୟ କରାଯାଏ ତେବେ ରୋଗୀ ଓ ତାଙ୍କ ସେବାକାରୀମାନେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଆଉ ହେବେ ନାହିଁ।

Comment