ଓଡ଼ିଶାଲାଇଭ୍ ବ୍ୟୁରୋ

“ମୁଁ ଅପେକ୍ଷା କରିଛି କେତେବେଳେ ତାଲିବାନମାନେ ଆସିବେ ମତେ ଏବଂ ମୋରି ଭଳି ଅନ୍ୟ ଲୋକମାନଙ୍କୁ ମାରିବେ”, ଏଭଳି କହି ତାଲିବାନିଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଆଫଗାନିସ୍ତାନର ୨୭ ବର୍ଷୀୟା ପ୍ରଥମ ମହିଳା ମେୟର ଜରୀଫା ଗଫାରୀ।

ଆଫଗାନିସ୍ତାନକୁ ତାଲିବାନମାନେ କବ୍ଜା କରିବାର ୨୪ଘଣ୍ଟା ମଧ୍ୟରେ ବଦଳିଛି ସେଠାକାର ଚିତ୍ର। ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି, ରାଜନେତା ଓ ଅନେକ ସରକାରୀ କର୍ମଚାରୀମାନେ ନିଜର ଜୀବନ ବଞ୍ଚାଇବାକୁ ଯାଇ ଦେଶ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ସେଠାରେ ରହୁଥିବା ସାଧାରଣ ଜନତା ତାଲିବାନି ଓ ତାଙ୍କ କାର୍ଯ୍ୟକଳାପକୁ ଡରି ନିଜ ପରିବାରକୁ ସାଙ୍ଗରେ ଧରି ଦେଶ ଛାଡ଼ୁଛନ୍ତି। ମହିଳାମାନଙ୍କ ଅବସ୍ଥା ସମ୍ପର୍କରେ ନ କହିବା ଭଲ।

ଏଭଳି ପରିସ୍ଥିତିରେ ମହିଳା ହୋଇବି ତାଲିବାନିଙ୍କ ଅତ୍ୟାଚାରକୁ ନ ଡରି ନିଜର ସାହସିକତାର ପରିଚୟ ଦେଇଛନ୍ତି ମେୟର ଜରୀଫା ଗଫାରୀ। ଅନ୍ୟମାନଙ୍କ ଭଳି ଦେଶ ଛାଡ଼ି ଅନ୍ୟତ୍ର ନଯାଇ ସେ ସେମାନଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି।ସେ କହିଛନ୍ତି, “ମୁଁ ମୋ ପରିବାର ସହ ଆପାର୍ଟମେଣ୍ଟର କୋଠରୀ ମଧ୍ୟରେ ରହିଛି ଏବଂ ତାଲିବାନିମାନଙ୍କୁ ଅପେକ୍ଷା କରିଛି। ଏଠାରେ ମୋର କିମ୍ବା ମୋ ପରିବାରକୁ ସାହାଯ୍ୟ କଲା ଭଳି କେହି ନାହାଁନ୍ତି। ସେମାନେ ମତେ ଏବଂ ମୋ ପରିବାରକୁ ମାରିଦେବେ ସତ, କିନ୍ତୁ ଏଭଳି ପରିସ୍ଥିତିରେ ମୁଁ ମୋ ପରିବାରକୁ ଛାଡ଼ି ପାରିବିନାହିଁ।”

୨୦୧୮ ମସିହାରେ ଆଫଗାନିସ୍ତାନର ମୈଦାନ ବାରଦକ ପ୍ରାନ୍ତରୁ ପ୍ରଥମ ଯୁବା ମହିଳା ମେୟର ଭାବରେ ଜରୀଫା ଗଫାରୀଙ୍କୁ ଚୟନ କରାଯାଇଥିଲା ଏବଂ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର କାର୍ଯ୍ୟଭାର ମଧ୍ୟ ଦିଆଯାଇଥିଲା। ସେହି ସମୟରେ ତାଲିବାନିମାନେ ତାଙ୍କୁ ଅନେକଥର ମୃତ୍ୟୁ ଧମକ ଦେଇଥିଲେ। ଏମିତିକି ୨୦୨୦ ବର୍ଷ ନଭେମ୍ବର ୧୫ ରେ ଗାଫାରୀଙ୍କ ବାପା ଜେନେରାଲ ଅବଦୁଲ ୱାସି ଗାଫାରୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।

ତାଙ୍କୁ ହତ୍ୟା କରିବାର ୨୦ ଦିନ ପରେ ତାଲିବାନିମାନେ ଜରୀଫାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

Comment