ଓଡ଼ିଶାଲାଇଭ୍ ବ୍ୟୁରୋ

  • ୧୦ଟି ସ୍ମାର୍ଟ ସ୍କୁଲ ଲୋକାର୍ପିତ
  • ଭର୍ଚୁଆଲ ମୋଡ଼ରେ ଲୋକର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ହିଞ୍ଜିଳିରୁ ଆରମ୍ଭ ସ୍କୁଲ ରୂପାନ୍ତରଣ
  • ୫୦ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଶେଷ

ରାଜ୍ୟରେ ଶିକ୍ଷାବ୍ୟବସ୍ଥାକୁ ଆଧୁନିକୀକରଣ କରିବା ନିମନ୍ତେ ୫ଟି ଅଧିନରେ ହିଞ୍ଜିଳିକାଟୁର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ସେଥିମଧ୍ୟରୁ ଶନିବାର ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ଜରିଆରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି, “ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ। ସୁନ୍ଦର ଭବିଷ୍ୟତ ପାଇଁ ତା ଆଖିରେ ଥାଏ ଅନେକ ସ୍ଵପ୍ନ। ଏହି ସ୍ଵପ୍ନକୁ ସାକାର କରିବା ପାଇଁ ରୂପାନ୍ତରଣ ଆଣିଛି ସୁଯୋଗ। ପିଲାଙ୍କ ସ୍ଵପ୍ନ ସାକାର ହେଲେ ପୂରଣ ହେବ ନୂଆ ଓଡିଶା।”ପିଲାମାନଙ୍କ ଉଦ୍ଦେଶ୍ୟରେ ଆଉ ମଧ୍ୟ କହିଛନ୍ତି, “ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ। ଏହି ରୂପାନ୍ତର ତୁମମାନଙ୍କ ଭବିଷ୍ୟତ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ।”

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୨୦ ଜଣ ମନ୍ତ୍ରୀ ଓ ବିଧାୟକମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ହିଞ୍ଜିଳିରୁ ଆରମ୍ଭ ହୋଇଥିବା ରୂପାନ୍ତରଣ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣା ହେବ। ସମଗ୍ର ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ।

ସେ ଆଉ ମଧ୍ୟ କହିଛନ୍ତି, “୫ଟି ଉପକ୍ରମରେ ଅର୍ଥାତ୍ ଟେକନଲୋଜି, ଟିମ୍ ଓ୍ବାର୍କ, ଟାଇମ, ଟ୍ରାନ୍ସପରେନ୍ସି ଓ ଟ୍ରାନ୍ସଫର୍ମସେନକୁ ଆଧାର କରି ହାଇସ୍କୁଲ ରୂପାନ୍ତରଣ କରାଯାଇଛି। ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ସ୍କୁଲଗୁଡ଼ିକୁ ଡିଜିଟାଲାଇଜେସନ୍ କରାଯାଉଛି। କ୍ଲାସରୁମ୍‌ ଠାରୁ ଆରମ୍ଭ କରି ଖେଳପଡ଼ିଆ ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ ଅତ୍ୟାଧୁନିକ ଢ଼ାଞ୍ଚାରେ ନିର୍ମାଣ କରାଯାଇଛି। ଏଥିସହ ପିଲାମାନଙ୍କ ପାଇଁ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା ମଧ୍ୟ କରାଯାଇଛି।”

ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ। ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ପଦାଧିକାରୀ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Comment