ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ ପରୀକ୍ଷା ଫଳ। ଅଫଲାଇନ୍‌ ପରୀକ୍ଷାରେ ଛାତ୍ରମାନେ ଛାତ୍ରୀଙ୍କୁ ଟପିଛନ୍ତି। ୩୧୦୦ ଛାତ୍ର ଓ ୨୧୩୩ ଜଣ ଛାତ୍ରୀଙ୍କୁ ମିଶାଇ ମୋଟ୍‌ ୫୨୩୩ ଜଣ ପାସ୍ କରିଥିବା ବେଳେ ପାସ୍ ହାର ୮୦.୮୩ ପ୍ରତିଶତ ରହିଛି। ଏନେଇ ମଙ୍ଗଳବାର କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ବୋର୍ଡର ସୂଚନା ଅନୁସାରେ ଚଳିତ ବର୍ଷ ମୋଟ୍ ୬,୬୨୦ ଜଣ ଛାତ୍ରଛାତ୍ରୀ ଅଫଲାଇନ୍‌ ମୋଡ୍‌ରେ ମାଟ୍ରିକ ପରୀକ୍ଷା ଦେବାପାଇଁ ଆବେଦନ କରିଥିଲେ। ସେମାନଙ୍କ ଭିତରୁ ୧୪୬ ଜଣ ଆବେଦନ ଫେରାଇ ନେବାରୁ ବୋର୍ଡ ସେମାନଙ୍କ ଫର୍ମକୁ ରିଜେକ୍ଟ କରିଦେଇଥିଲା। ସେହିପରି ୧,୦୮୬ ଜଣ ପିଲା ପରୀକ୍ଷାରେ ଅନୁପସ୍ଥିତ ଥିଲେ। ଅନ୍ୟପଟେ କପି କରି ୧୪ ଜଣ ଧରା ପଡ଼ିଥିବା ବେଳେ ୧୪୧ ଜଣ ଫେଲ୍‌ ହୋଇଛନ୍ତି।ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ଅଧୀନରେ ୮୪୯୧ ଜଣ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୩୮୩ ଅନୁପସ୍ଥିତ ରହିଥିଲେ ଏବଂ ୧୯ ଜଣ କପି କରି ଧରା ପଡ଼ିଥିଲେ। ଏହାମଧ୍ୟରୁ ୬୩୦୯ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୭୪.୩ ପ୍ରତିଶତ ରହିଛି। ସେହିପରି ମଧ୍ୟମାରେ ୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍‌ କରିଛନ୍ତି।କୋରାନା ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏଥିଲାଗି ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରି ଗତ ଜୁନ୍ ୨୫ରେ ବୋର୍ଡ ମାଟ୍ରିକ ଫଳ ପ୍ରକାଶ କରିଥିଲା। ଏହି ଫଳରେ ଯେଉଁମାନେ ଅସନ୍ତୁଷ୍ଟ ଥିଲେ ସେମାନଙ୍କ ପାଇଁ ଅଫଲାଇନ୍ ମୋଡ୍‌ରେ ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଥିଲା।

Comment