ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅନ୍ଧାରୁଆରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ
  • ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  • ଖର୍ଚ୍ଚ ହେବ ୧୦୦ କୋଟି
  • ଶିକ୍ଷାଲାଭ କରିବେ ହଜାରେ ଛାତ୍ରଛାତ୍ରୀ

ଭୁବନେଶ୍ଵର ଉପକଣ୍ଠର ଅନ୍ଧାରୁଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ ୧୦୦କୋଟି ଟଙ୍କା ବ୍ୟୟରେ ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ ଏବଂ ଏଥିରେ ଗ୍ରାମାଞ୍ଚଳର ପ୍ରାୟ ୧ ହଜାର ମେଧାବୀ ଛାତ୍ରଛାତ୍ରୀ ପାଠ ପଢ଼ିବାର ସୁଯୋଗ ପାଇପାରିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଓଡିଶା ଆଦର୍ଶ ବିଦ୍ୟାଳୟ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟରେ ବର୍ତ୍ତମାନ ସ୍କୁଲ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଏହା ଏକ ନୂତନ ମାଇଲ ଖୁଣ୍ଟ ହେବ। ଏହି ସ୍କୁଲରେ ଏକାଦଶ ଓ ଦ୍ଵାଦଶ ଶ୍ରେଣୀରେ ୫୦୦ ଲେଖାଏଁ ଏବଂ ସମୁଦାୟ ୧ ହଜାର ଛାତ୍ରଛାତ୍ରୀ ଶିକ୍ଷାଲାଭ କରିବେ।”

୫-ଟି କାର୍ଯ୍ୟକ୍ରମ ଅଧୀନରେ ହିଞ୍ଜିଳିରୁ ଆରମ୍ଭ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ ଉପକ୍ରମ ସମ୍ପର୍କରେ ମନେପକାଇ ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଥିଲେ, “ଏହା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ପର୍ଯ୍ୟାୟକ୍ରମେ କରାଯିବ। ଏହି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, ଗଣିତ ଓ ଭାଷା ପ୍ରୟୋଗଶାଳା, ଉଚ୍ଚ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ କମ୍ପ୍ୟୁଟର ପ୍ରୟୋଗଶାଳା ପ୍ରତିଷ୍ଠା ହେବ। ଏଥିସହିତ ସମଗ୍ର ବିଶ୍ଵର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହିତ ଜ୍ଞାନ ଆଦାନପ୍ରଦାନ କରାଯିବ। ଗୁଣାତ୍ମକ ଶିକ୍ଷା ସହିତ ଜଣେ ଟିମ୍‌ ଲିଡରଙ୍କ ଅଧୀନରେ ମେଧାବୀ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ସଫଳତା ପାଇଁ ସହାୟତା କରିବେ।”

ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କର ସମସ୍ତ ଅନ୍ତର୍ନିହିତ ଗୁଣର ବିକାଶ କରି ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଆଦର୍ଶ ବିଦ୍ୟାଳୟ ସଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comment