ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ଣ୍ଣ ଶିକ୍ଷକ ମାନ୍ୟତା ଲାଗି ଖୋର୍ଦ୍ଧା ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମଙ୍ଗଳବାର ସଂଘର ସଭାପତି ମାନସ କୁମାର ମହାନ୍ତିଙ୍କ ନେତୃତ୍ଵରେ ଜିଲ୍ଲାର ବହୁ ଶିକ୍ଷକ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବିପତ୍ର ଦେଇଛନ୍ତି।ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପାଇଥିବା ସମସ୍ତ ସାମୟିକ ଶିକ୍ଷକମାନଙ୍କୁ ପ୍ରାଥମିକ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ଦିଆଯିବ ସହିତ ସେମାନଙ୍କୁ ୧୨ ମାସିଆ ଦରମା ପ୍ରଦାନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ହେଲେ ବିଭାଗର ଏ ନିର୍ଦ୍ଦେଶକୁ ପାଳନ କରାଯାଉ ନାହିଁ। ଫଳରେ କଳା ଓ କ୍ରୀଡ଼ା ଶିକ୍ଷକମାନେ ୮ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି କର୍ତ୍ତ୍ୟବ୍ୟ ନିର୍ବାହ କରି ଆସୁଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟରେ ସହଯୋଗ କରୁଥିଲେ ମଧ୍ୟ ସେମାନଙ୍କୁ ପୂର୍ଣ୍ଣ ଶିକ୍ଷକ ମାନ୍ୟତା ମିଳୁନାହିଁ। ତେଣୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ସରକାରୀ ସ୍ତରରେ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି ସଂଘ ପକ୍ଷରୁ ଦାବି ହୋଇଛି।ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ସଂଘର ସମ୍ପାଦକ ବିଶ୍ଵ ରଞ୍ଜନ ସ୍ଵାଇଁ, ଉପସଭାପତି ସୁଶିଲ କୁମାର ଦାସ, କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ସ୍ଵାଇଁ, ଦୟା ସାଗର ବୈଶାଖ, ସର୍ବେଶ୍ଵର ଦାସ, ସନ୍ତୋଷ କୁମାର ବେହେରା, ପ୍ରଦୀପ ସୁନ୍ଦରରାୟ, ଅନନ୍ତ କୁମାର ଲେଙ୍କା, ନିରଞ୍ଜନ ମିଶ୍ର, ଅନୁପ ସାର, ଗଙ୍ଗାଧର ସାର, ମୌସୁମୀ ମିଶ୍ରଙ୍କ ସମେତ ଜିଲ୍ଲାର ବହୁ ଶିକ୍ଷକ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ।

Comment