ଓଡ଼ିଶାଲାଇଭ ବ୍ୟୁରୋ

ବାଲିଅନ୍ତା, ବାଲିପାଟଣା ଅଞ୍ଚଳରେ ଛାରଖାର କଲା ବାତ୍ୟା ‘ଫନି’। ପ୍ରଭାବିତ ଅଞ୍ଚଳରେ ରିଅଲିଟି ଚେକ୍ କଲା ଓଡ଼ିଶାଲାଇଭ୍ ଟିମ୍।

ସାମୁଦ୍ରିକ ଝଡ଼ ‘ଫନି’ରେ ଛାରଖାର ହୋଇଛି ଖୋର୍ଦ୍ଦା ଜିଲ୍ଲା ବାଲିଅନ୍ତା ବ୍ଲକର ଅନେକ ଗାଁ। ଭୟଙ୍କର ବାତ୍ୟା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେଉଁଠି ଘର ଭାଙ୍ଗି ଯାଇଛି ତ କାହାର ଚାଳ ଉଡ଼ିଯାଇଛି। ପ୍ରକୃତିର ଏହି କରାଳ ରୂପ ସବୁକିଛି ଧ୍ୱଂସବିଧ୍ୱଂସ କରିଦେଇଛି।

ଏହି ମଧ୍ୟରେ ଓଡ଼ିଶାଲାଇଭ ଟିମ ପ୍ରଥମେ ବାତ୍ୟା ପ୍ରଭାବିତ ଅଞ୍ଚଳ ବାଲିଅନ୍ତା ବ୍ଲକର ଭିଙ୍ଗାରପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗାଁରେ ପହଞ୍ଚିଥିଲା। ସେହି ଗାଁ  ଲୋକଙ୍କ ପାଟିରେ ଥିଲା ଭୟଙ୍କର ବାତ୍ୟା ସହ ବିତାଇଥିବା କିଛି ମୁହୂର୍ତ୍ତ ଏବଂ ବାତ୍ୟା ପରେ ଅଧା ଭଙ୍ଗା ଘରେ କଟୁଥିବା ଜୀବନା

‘‘ ଘରଦ୍ୱାର, ଚୁଲି , ଭାଙ୍ଗି ଯାଇଛିା ବାତ୍ୟା ଆଶ୍ରୟସ୍ଥଳୀ ଗଲେ ଖାଇବାକୁ ମିଳିବା ନହେଲେ ନାହିଁ। ହେଲେ ଘର ଛାଡ଼ି କେମିତି ଆଶ୍ରୟସ୍ଥଳୀ ଯାଇଥାନ୍ତୁ। ସବୁକିଛି ହରେଇ ବସିଲୁ। ହେଲେ ଆମ ସରପଞ୍ଚ ଏଯାଏଁ ବି ଆମ ଅବସ୍ଥା ଥରେ ଦେଖିବାକୁ ଆସିଲେନି। ଖାଲି ଭୋଟ ବେଳେ ଆସୁଛନ୍ତି ହେଲେ ସମସ୍ୟା ସମୟରେ କାହାର ଦେଖାନାହିଁ। ୧୯୯୯ ମସିହା ବାତ୍ୟା ଦେଖିଥିଲୁ ହେଲେ ଏ ବାତ୍ୟା ସେ ବାତ୍ୟାଠୁ ବଳିଗଲା’’, କହିଛନ୍ତି ଏହି ଗାଁର ଦୁଇ ମହିଳା ମମତା ଭୋଇ ଏବଂ ଆରତୀ ଭୋଇ।

ଓଡ଼ିଶାଲାଇଭ ଟିମ ପୂରା ଗାଁ ବୁଲି ଦେଖିଥଲା। ସମସ୍ତଙ୍କ ପାଟିରେ ସେହି ଗୋଟିଏ କଥା ଆମ ସରପଞ୍ଚ ଆମ ପାଖକୁ ଆସିନାହନ୍ତି। ତା’ପରେ ରିଆଲିଟି ଚେକ କରିବାକୁ ଟିମ ସରପଞ୍ଚ ଜୟଶ୍ରୀ ନାୟକଙ୍କ ସ୍ୱାମୀ ମାନସ ନାୟକଙ୍କୁ ଭେଟିଥିଲୁ।

‘‘ ଗାଁ ଲୋକଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ। ବାତ୍ୟା ପାଇଁ ସବୁ ବ୍ୟବସ୍ଥା ହୋଇଥିଲା। ଚୁଡ଼ା, ଚିନି, ବିସ୍କୁଟ, ସବୁ ଯୋଗାଇ ଦିଆଯାଇଛି। ଆଶ୍ରୟସ୍ଥଳୀକୁ ଆସିବା ପାଇଁ ଗାଡ଼ିରେ ପ୍ରଚାର କରାଯାଇଥିଲା। ବାତ୍ୟା ପରେ ବିଡିଓଙ୍କୁ ଦେଖା କରିଛୁ। ସେ କହିଛନ୍ତି ଯଥାସମ୍ଭବ ସବୁ ସହାୟତା ଯୋଗାଇ ଦିଆଯିବ”, କହିଛନ୍ତି ମାନସ ନାୟକ।

ତା’ପରେ ଆମେ ପହଞ୍ଚିଥିଲୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରରେ। ଏହି ଭୟଙ୍କର ବାତ୍ୟାରେ ୩ ମହଲାର ଏହି ଶିକ୍ଷାକେନ୍ଦ୍ରଟି ଭାଙ୍ଗି ଚୁରମାର ହୋଇଯାଇଛି। ୧୨୦ ଜଣ ଛାତ୍ରଛାତ୍ରୀ ସେଠାରେ ଟ୍ରେନିଙ୍ଗ ନେଉଥିଲାବେଳେ ଏବେ ଏହା ସମ୍ପୂର୍ଣ୍ଣ ଅକାମୀ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ୫ଟି ଲାପଟପ, ଏସି, ଚେୟାର, ଟେବୁଲ, ସିସିଟିଭି ସବୁ ନଷ୍ଟ ହୋଇଛି। ମୋଟାମୋଟି ଭାବେ ୫/୬ ଲକ୍ଷ ଟଙ୍କାର ଜିନିଷ ନଷ୍ଟ ହୋଇଛି।

‘‘ ୧୨୦ ପିଲାଙ୍କୁ ଟ୍ରେନିଙ୍ଗ ଦିଆଯାଉଥିଲା। ଦେଢ଼ମାସ ହେଲା ଟ୍ରେନିଙ୍ଗ ଆରମ୍ଭ ହୋଇଥିଲା। ଆଉ କିଛି ଦିନ ପରେ ସେମାନଙ୍କୁ ପ୍ଲେସମେଣ୍ଟ ଦିଆଯାଇଥାନ୍ତା। ହେଲେ ସବୁକିଛି ଚୁରମାର ହୋଇଗଲା’’, କହିଛନ୍ତି ଶିକ୍ଷା କେନ୍ଦ୍ରର ଇନଚାର୍ଜ ସୌରଭ କର।

ଗାଁ କିଛି ଯୁବକଙ୍କୁ ନେଇ ଓ୍ୱାର୍ଡ ଓ୍ୱାର୍ଡ ବୁଲି ସର୍ଭେ ମଧ୍ୟ ଆରମ୍ଭ ହୋଇଥିଲା। ଏହି ସର୍ଭେ ରିପୋର୍ଟ ଆରଆଇଙ୍କୁ ଦିଆଯିବା ପରେ ସେ ପଦକ୍ଷେପ ନେବେ ବୋଲି ସର୍ଭେ କରୁଥିବା ଯୁବକମାନେ କହିଥିଲେ।

ତା’ପରେ ଆମେ ପହଞ୍ଚିଥିଲୁ ସେହି ବ୍ଲକର ଆଉ ଏକ ଗାଁର ବାତ୍ୟା ଆଶ୍ରୟସ୍ଥଳୀରେ। ବେଣ୍ଟପୁର ଗାଁ ବାଣେଶ୍ୱରୀ କଲେଜରେ ହୋଇଥିବା ଆଶ୍ରୟସ୍ଥଳୀରେ ପ୍ରାୟତଃ ଦୁଇ ଶହରୁ ଅଧିକ ଲୋକ ରହିଥିଲେ। ଆଶ୍ରୟସ୍ଥଳୀରେ ରହିଥିବା ଲୋକଙ୍କ କହିବା ଅନୁସାରେ ସରପଞ୍ଚ ମୁରଲୀଧର ସାହୁ, ନୋମିନି ତ୍ରୟଲୋକ ମଙ୍ଗରାଜ ବାତ୍ୟା ପୂର୍ବ ଦିନ ହିଁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ଆଣିବାକୁ ବ୍ୟବସ୍ଥା କରିଥିଲେ।

‘‘ ମାଇକ ଦ୍ୱାରା ପ୍ରଚାର କରାଯାଇଥିଲା। ଲୋକଙ୍କୁ ସାହାସ ଦିଆଯାଇଥିଲା। ଆଶ୍ରୟସ୍ଥଳୀରେ ଖାଇବା, ପିଇବା, ଔଷଧ ସବୁ ବ୍ୟବସ୍ଥା ହୋଇଥିଲା’’ କହିଛନ୍ତି ସେହ ପଞ୍ଚାୟତର ମହିଳା ମହାସଙ୍ଘ ନଥିପତ୍ର ଲେଖିକା ଉର୍ମିଳା ବେହେରା।

ବାତ୍ୟା ଆଶ୍ରୟସ୍ଥଳୀରେ ଆମେ ଜଣେ ଆଶକର୍ମୀଙ୍କୁ ଭେଟିଥିଲୁ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ଗର୍ଭବତୀ ମହିଳାଙ୍କ ବିଷୟରେ ଜାଣିବାକୁ ଚାହିଁଥିଲୁ। ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ଆଗୁଆ ମେଡିକାଲରେ ଭର୍ତ୍ତି କରାଯାଇଥିବା ସେ କହିଥିଲେ।

ତା’ପରେ ଟିମ ପହଞ୍ଚିଥିଲା ବାଲିପାଟଣାରେ। ସେଠାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। କୋଠାଘରେ ରହୁଥିବା କିଛି ଲୋକ ବାତ୍ୟାରୁ ବର୍ତ୍ତି ଯାଇଥିଲାବେଳେ ଆଜବେଷ୍ଟ ଏବଂ ମାଟି ଘର ଲୋକଙ୍କ ଅବସ୍ଥା ସଙ୍ଗୀନ।

LEAVE A REPLY

Please enter your comment!
Please enter your name here