ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନତା ପାର୍ଟି ଦୁଇ ମାସ ଭିତରେ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଛି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହି ମୁଖ୍ୟମନ୍ତ୍ରୀମାନଙ୍କୁ ପରିବର୍ତ୍ତନ କରାଯାଇଛି। ଯଦିଓ ଏହି ପରିବର୍ତ୍ତନ ପଛରେ ପ୍ରକୃତ କାରଣ ଦଳ ପକ୍ଷରୁ କୁହାଯାଇନାହିଁ, ତେବେ ଜାତି ରାଜନୀତିକୁ ପ୍ରାଧାନ୍ୟ ଦେଇ ବିଜେପି ଏହା କରିଥିବା ସ୍ପଷ୍ଟ ବାରି ହୋଇଯାଉଛି। ସେହି କ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଛି ଦଳ। ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭୂପେନ୍ଦ୍ର ପଟେଲ। ଗୁଜରାଟ ଗାନ୍ଧିନଗରସ୍ଥିତ ରାଜଭବନରେ ଏକ ସମାରୋହରେ ଭୂପେନ୍ଦ୍ର ପଟେଲ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ପଟିଦାର ସମ୍ପ୍ରଦାୟର ଭୋଟ ହାତେଇବାକୁ ବିଜେପିର ରଣନୀତି

ଗୁଜୁରାଟର ପଟିଦାର ସମ୍ପ୍ରଦାୟରେ ଭୂପେନ୍ଦ୍ର ପଟେଲଙ୍କର ଏକ ଶକ୍ତିଶାଳୀ ପ୍ରଭାବ ରହିଛି। ତାଙ୍କ ଭରସାରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ​​ଜିତିବା ପାଇଁ ବିଜେପି ପ୍ରସ୍ତୁତ କରିଛି ରଣନୀତି। ସେଥିପାଇଁ ଆଗାମୀ ନିର୍ବାଚନକୁ ନଜରରେ ରଖି ଭୂପେନ୍ଦ୍ର ପଟେଲକୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ହେଭିୱେଟ ନେତାଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ହେଲେ ଭୂପେନ୍ଦ୍ର ପଟେଲ

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଦୌଡ଼ରେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା, ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, କେନ୍ଦ୍ର ମନ୍ତ୍ରୀ ପର୍ଷୋତ୍ତମ ରୁପାଲାଙ୍କ ନାଁ ରହିଥିବାବେଳେ ସମସ୍ତଙ୍କୁ ଚକିତ କଲା ଭଳି ନିଷ୍ପତ୍ତି ନେଇଥିଲା ବିଜେପି। ଏମାନଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ ନକରି ନୂଆ ମୁହଁ ଉପରେ ମୋହର ମାରିଥିଲା ବିଜେପି। ଆଉ ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଟିଦାର ସମ୍ପ୍ରଦାୟର ଜଣେ ଟାଣୁଆ ନେତା ଭୂପେନ୍ଦ୍ର ପଟେଲ।ବିଜୟ ରୁପାଣୀଙ୍କ କାମରେ ସନ୍ତୁଷ୍ଟ ନଥିଲା ଦଳ!

ବିଜୟ ରୁପାଣୀଙ୍କ ଇସ୍ତଫା ପରେ ବିଜେପିକୁ ଜଣେ ତୃଣମୂଳ ସ୍ତର ନେତାଙ୍କର ଆବଶ୍ୟକ ଥିଲା। ବିଜେପିର ସେହି ସନ୍ଧାନ ଭୂପେନ୍ଦ୍ର ପଟେଲଙ୍କ ପାଖରେ ଶେଷ ହୋଇଛି। ଆସନ୍ତାବର୍ଷ ଗୁଜରାଟରେ ହେବାକୁଥିବା ବିଧାନସଭା ନିର୍ବାଚନରେ ଭୂପେନ୍ଦ୍ରଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ କୋଭିଡ ପରିଚାଳନାରେ ଫେଲ ମାରିଥିବା ଏବଂ ରାଜ୍ୟର ବିଭିନ୍ନ ବର୍ଗ ଓ ଗୋଷ୍ଠୀକୁ ସାଥୀରେ ନେଇ ଚାଲି ପାରିନଥିବା ହେତୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟିବାକୁ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।

ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବା ବିଜେପିର ନୂଆ ଟ୍ରେଣ୍ଡ

ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନଙ୍କୁ ପରିବର୍ତ୍ତନ କରିବା ଏବେ ବିଜେପିର ନୂଆ ଟ୍ରେଣ୍ଡ ହୋଇଛି। ଯେଉଁଭଳି ଭାବରେ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ପରିବର୍ତ୍ତନ କରାଗଲା ସେହିପରି ପୂର୍ବରୁ ଉତ୍ତରାଖଣ୍ଡ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ସାଧାରଣତଃ ରାଜନୀତିରେ ଦେଖାଯାଏ ଯେ, ନିର୍ବାଚନରେ ହାରିବାର ଆଶଙ୍କା ଥିବା ବିଧାୟକମାନଙ୍କୁ ଦଳଗୁଡ଼ିକ ବଦଳାଇ ନୂଆ ବିଧାୟକ ଚୟନ କରିଥାନ୍ତି। ଠିକ୍ ସେହିଭଳି ବିଜେପି ତା’ର ନୂଆ ରଣନୀତି ପ୍ରସ୍ତୁତ କରିଥିବା ଦେଖିବାକୁ ମିଳୁଛି।

ଗୁଜୁରାଟ ପରେ ହିମାଚଳ ପ୍ରଦେଶର ପାଳି ପଡ଼ିବ କି?

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ୫ ଦିନ ଭିତରେ ଦୁଇଥର ଦିଲ୍ଲୀରୁ ଡକରା ଆସିଲାଣି। ତେଣୁ ବିଜେପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରକ୍ରିୟାରେ ହିମାଚଳ ପ୍ରଦେଶର ପାଳି ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ କଂଗ୍ରେସ ଏହାକୁ ନେଇ କହିଛି, ଖୁବଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ଭଳି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ବଦଳ ହୋଇପାରନ୍ତି। କିନ୍ତୁ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

Comment