ଓଡ଼ିଶାଲାଇଭ୍ ବ୍ୟୁରୋ

କଳାହାଣ୍ଡି ମହାଲିଙ୍ଗ ସନ୍‌ସାଇନ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ନୂଆ ଟ୍ଵିଷ୍ଟ୍ ଆସିଛି। ପୋଲିସ ହେପାଜତ୍‌ରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଧରାଇବା ପାଇଁ ୧ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷଣା କରିଛି ବଲାଙ୍ଗିର ପୋଲିସ। ଏନେଇ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇ ସୂଚନା ଦିଆଯାଇଛି।ମମିତାଙ୍କ ନିଖୋଜ ମାମଲାରେ ପୋଲିସ ଗତ ୧୪ ତାରିଖରେ ସନ୍‌ସାଇନ ପବ୍ଲିକ୍ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ପଚରାଉଚରା ପାଇଁ ଉଠାଇ ଆଣିଥିଲା। ୪ ଦିନ ପର୍ଯ୍ୟନ୍ତ ତାଙ୍କୁ ଟିଟିଲାଗଡ଼ ପୋଲିସ ବ୍ୟାରେକ୍‌ରେ ଅଟକ ରଖାଯାଇଥିଲା। ହେଲେ ରବିବାର ହାତ ଧୋଇବା ବାହାନା କରି ପୋଲିସ ହେପାଜତ୍‌ରୁ ସେ ଖସି ପଳାଇଥିଲେ।

ଗୋବିନ୍ଦଙ୍କୁ ଧରିବା ପାଇଁ ପ୍ରଥମେ ୨୦ ହଜାର ଟଙ୍କାର ଅର୍ଥରାଶି ଘୋଷଣା କରିଥିଲା ବଲାଙ୍ଗିର ପୋଲିସ। ପରେ ତାହାକୁ ବଢ଼ାଇ ୧ ଲକ୍ଷ ଟଙ୍କା କରିଦିଆ ଯାଇଛି।ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଘଟଣାରେ ଦିନକୁ ଦିନ ନୂଆ ନୂଆ କଥା ସାମ୍‌ନାକୁ ଆସୁଛି। ମଙ୍ଗଳବାର ମହାଲିଙ୍ଗରେ ନିର୍ମାଣଧୀନ ଏକ ଷ୍ଟାଡିୟମରୁ ଏକ ଦଗ୍‌ଧ ମୃତଦେହର ମାଟିତଳୁ ଉଦ୍ଧାର କରିଛି ପୋଲିସ। ଏହା ମମିତାଙ୍କ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେବେ ମୃତଦେହର ଡିଏନ୍‌ଏ ପରୀକ୍ଷା ପରେ ଏହା ମମିତାଙ୍କର କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଅନ୍ୟପଟେ ମୃତ ଦେହ ପାଖରୁ ମିଳିଥିବା ପାଉଁଜି ଏବଂ ସୁନା ଚେନ୍‌କୁ ଦେଖି ତାହା ମମିତା ପିନ୍ଧିଥିବା ଅଳଙ୍କାର ହୋଇଥିବା ପରିବାର ଲୋକେ କହିଛନ୍ତି।ଅନ୍ୟପଟେ ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ମନ୍ତ୍ରୀ ଇସ୍ତଫା ଦେବା ସହ ଘଚଣାର ସିବିଆଇ ତଦନ୍ତ କରିବାକୁ କଂଗ୍ରେସ ଦାବି କରିଥିବା ବେଳେ ମନ୍ତ୍ରୀଙ୍କୁ ପଦରୁ ବହିଷ୍କାର କରିବାକୁ ବିଜେପି ଦାବି କରିଛି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିରୋଧ କରି ମଙ୍ଗଳବାର ବଲାଙ୍ଗିର ଏବଂ କଳାହାଣ୍ଡିରେ ବିରୋଧୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମନ୍ତ୍ରୀ ଭୁବନେଶ୍ଵରସ୍ଥିତ ସରକାରୀ ବାସଭବନକୁ ଅଣ୍ଡାମାଡ଼ କରିଛି ଛାତ୍ର କଂଗ୍ରେସ।

Comment