ଓଡ଼ିଶାଲାଇଭ୍ ବ୍ୟୁରୋ

କଳାହାଣ୍ଡିସ୍ଥିତ ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଏବଂ ହତ୍ୟା ଘଟଣାର ବଡ଼ ଖୁଲାସା ହୋଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ସେହି ସ୍କୁଲର ସଭାପତି ଗୋବିନ୍ଦ ସାହୁ ହିଁ ମମିତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର। କାର୍ ଭିତରେ ଗୋବିନ୍ଦ ଏହି ହତ୍ୟାକାଣ୍ଡ ଭିଆଇଥିବା ବୁଧବାର ସାମ୍ଵାଦିକ ସମ୍ମିଳନୀରେ ଡିଆଇଜି କହିଛନ୍ତି।

ଡିଆଜିଙ୍କ ସୂଚନା ଅନୁସାରେ, ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ପରିଚାଳନା କମିଟିର ସଭାପତି ଗୋବିନ୍ଦ ସାହୁଙ୍କ ପରକ୍ରୀୟା ପ୍ରୀତି ରହିଥିଲା। ଏ ବିଷୟରେ ସେହି ସ୍କୁଲର ଅଧ୍ୟକ୍ଷା ମମିତା ମେହେର ଜାଣିବାକୁ ପାଇଥିଲେ। ଏହାପରେ ଏ ଘଟଣା ବାବଦରେ ସେ ସମସ୍ତଙ୍କୁ କହିଦେବେ ବୋଲି ଗୋବିନ୍ଦଙ୍କୁ କହିଥିଲେ। ତେଣୁ ମମିତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଚିନ୍ତା କରିଥିଲେ ଗୋବିନ୍ଦ। ଏହାପରେ ସେ ଗତ ଅକ୍ଟୋବର ୮ ତାରିଖରେ ମମିତାଙ୍କୁ ସ୍କୁଲ ଡକାଇଥିଲେ। ନିଜ କାର୍‌ରେ ମମିତାଙ୍କୁ ନେଇ ଭବାନୀପାଟଣାରୁ ତାଙ୍କ ପାଇଁ କିଛି ସପିଂ କରାଇଥିଲେ। ଏହାରି ମଧ୍ୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ତା’ ପରେ ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଥିଲେ।ପୂର୍ବରୁ ସମସ୍ତ ଯୋଜନା କରି ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଥିବା ଡିଆଇଜି ସ୍ପଷ୍ଟ କରିଛନ୍ତି। ତେବେ ତଣ୍ଟି ଚିପି ହତ୍ୟା ହୋଇଛି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ। ଅନ୍ୟପଟେ ଗୋବିନ୍ଦଙ୍କ ଗାଡ଼ିରୁ ପୋଲିସକୁ ହତ୍ୟା ସହିତ ଜଡ଼ିତ କିଛି ଠୋସ୍ ପ୍ରମାଣ ମଧ୍ୟ ମିଳିଛି।ଡିଆଇଜି ଆହୁରି ମଧ୍ୟ କହିଛନ୍ତି ଯେ, ମମିତାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପୋତିବା ପାଇଁ ମହାଲିଙ୍ଗ ଷ୍ଟାଡିୟମରେ ପୂର୍ବ ରାତିରୁ ଏକ ଗାତ ଖୋଳାଇଥିଲେ ଗୋବିନ୍ଦ। ତେଣୁ ଯୋଜନା ମୁତାବକ ଘଟଣାଦିନ ମମିତାଙ୍କ ମୃତଦେହକୁ ସେହି ଗାତରେ ପକାଇ କାର୍ଡବୋର୍ଡ ଏବଂ ଟାୟାର ଆଦି ପକାଇ ଗୋବିନ୍ଦ ସେଥିରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ଅକ୍ଟୋବର ୯ ତାରିଖ ସକାଳେ ସେହି ଗାତକୁ ପୋତି ଦେଇଥିଲେ।   ଏହି ଘଟଣାରେ ଗାତ ଖୋଳିଥିବା ଜେସିବି ଡ୍ରାଇଭର ଏବଂ ଷ୍ଟାଡିୟମର ଅନ୍ୟ ଦୁଇଜଣଙ୍କୁ ଗିରଫ କରି ପୋଲିସ ପଚରାଉଚରା କରୁଛି। ଅନ୍ୟପଟେ ଗୋବିନ୍ଦଙ୍କୁ ବୁଧବାର ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଛି। କୋର୍ଟଙ୍କଠାରୁ ଅନୁମତି ମିଳିଲା ପରେ ଗୋବିନ୍ଦଙ୍କୁ ରିମାଣ୍ଡରେ ନେଇ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବ ବୋଲି ଡିଆଇଜି ସୂଚନା ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର ଉପସ୍ଥିତ ଥିଲେ।

Comment