ଓଡ଼ିଶାଲାଇଭ୍ ବ୍ୟୁରୋ

ମମିତା ମେହେରଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁକୁ ଫାଶୀ ମିଳୁ। ଏଭଳି ଦାବି କରିଛନ୍ତି ମମିତାଙ୍କ ବାପା। ଶନିବାର ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ମମିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଯାଇଥିବା ବେଳେ ମମିତାଙ୍କ ବାପା ଏହି ଦାବି କରିଛନ୍ତି।

ମମିତାଙ୍କ ବାପା କହିଛନ୍ତି, “ମମିତା ଗଲା ପରେ ଆମ ପୂରା ପରିବାର ଭାଙ୍ଗି ପଡ଼ିଛି। ତେଣୁ ତାକୁ ମାରିଥିବା ଗୋବିନ୍ଦ ସାହୁକୁ ଫାଶୀ ଦଣ୍ଡ ମିଳୁ। ଏହି ମାମଲାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଡ଼ା ଦଣ୍ଡ ଦିଆଯାଉ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମମିତା ଆମ ଘରର ଏକମାତ୍ର ରୋଜଗାରର ପନ୍ଥା ଥିଲା। ସେ ଗଲାପରେ ଆମେ ବହୁତ କଷ୍ଟରେ ଚଳୁଛୁ। ତେଣୁ ଆମକୁ ଚଳିବା ପାଇଁ ସମସ୍ତ ଖର୍ଚ୍ଚ ଦେବା ସହ ମୋ ପୁଅକୁ ଚାକିରି ଦିଆଯାଉ।ଶନିବାର ସକାଳେ ମିନତି ବେହେରା ବଲାଙ୍ଗିରର ତୁରେଇକେଲାସ୍ଥିତ ମମିତାଙ୍କଙ୍କ ଘରେ ପହଞ୍ଚିଥିଲେ। ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ସମବେଦନା ଜଣାଇଥିଲେ।

ମମିତାଙ୍କ ପରିବାରକୁ ଭେଟିବା ପରେ ମିନତି ମହାଲିଙ୍ଗ ଗସ୍ତ କରିଛନ୍ତି। ସେଠାରେ ସେ ମମିତାଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଯିବେ ବୋଲି ଜଣାପଡ଼ିଛି। ଏହାପରେ ସେ ମହାଲିଙ୍ଗ ଯାଇ ପିଲାମାନଙ୍କ ସହ ଆଲୋଚନା କରିବେ।

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନ୍‌ସାଇନ ପବ୍ଲିକ୍ ସ୍କୁଲରେ ମମିତା ମେହେର ଅଧ୍ୟକ୍ଷା ପଦରେ ଥିଲେ। ଗତ ୮ ତାରିଖରେ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ମମିତାଙ୍କୁ ମିଟିଂ ପାଇଁ ସ୍କୁଲକୁ ଡାକିଥିଲେ। ତା’ ପରେ ମମିତା ଆଉ ଘରକୁ ଫେରିନଥିଲେ।। ପରେ ତାଙ୍କ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା।

Comment