ଓଡ଼ିଶାଲାଇଭ୍ ବ୍ୟୁରୋ

ଏନ୍ଇଇଟି(ନିଟ୍) କାଉନସେଲିଂ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ନିଟ୍ ପିଜି ଏବଂ ୟୁଜି ୨୦୨୧ ନାମ ଲେଖା ପାଇଁ ଏହି ରାୟ ପ୍ରକାଶ ପାଇଛି। ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ଆର୍ଥିକ ଅନଗ୍ରସର(ଇଡବ୍ଲ୍ୟୁଏସ୍) ବର୍ଗଙ୍କ ପାଇଁ ସଂରକ୍ଷଣ ସହ ମେଡିକାଲ ପିଜି ନାମ ଲେଖାକୁ ମଞ୍ଜୁରୀ ମିଳିଛି। ପୂର୍ବରୁ ରହିଥିବା ଓବିସି ସଂରକ୍ଷଣ ବଳବତ୍ତର ରହିବ। ମେଡିକାଲ ପିଜି ନାମ ଲେଖା କ୍ଷେତ୍ରରେ ଓବିସି ବର୍ଗକୁ ୨୭ ପ୍ରତିଶତ ଓ ଇଡବ୍ଲ୍ୟୁଏସ୍ ବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ସାମ୍ବିଧାନକ ବୈଧତା ରହିବ।

ନଭେମ୍ବର ୨୭ଠାରୁ ନିଟ୍ ପିଜି କାଉନସେଲିଂ ୨୦୨୧କୁ ବାରମ୍ବାର ସ୍ଥଗିତ କରାଯାଇଥିଲା। ଏହି କାରଣରୁ ମେଡିକାଲ କଲେଜରେ ରେସିଡେଣ୍ଟ ଡାକ୍ତରମାନଙ୍କର ନୂଆ ବ୍ୟାଚର ପ୍ରବେଶ ଅଟକି ରହିଥିଲା। ୨୦୨୧ର କାଉନସେଲିଂରେ ହେଉଥିବା ବିଳମ୍ବ ବିରୋଧରେ ସମଗ୍ର ଦେଶରେ ହରତାଳ କରାଯାଇଥିଲା। ଜୁନିଅର ଡାକ୍ତରଙ୍କ ହରତାଳ ଯୋଗୁ ସ୍ଵାସ୍ଥ୍ୟ ସେବା ଉପରେ ବିଶେଷ ପ୍ରଭାବ ପଡ଼ିଥିଲା।

କେନ୍ଦ୍ର ସରକାର ୨୯ ଜୁଲାଇ ୨୦୨୧ରେ ନୋଟିଫିକେସନ ଜାରି କରି ନିଟ୍ ପରୀକ୍ଷାରେ ଅଲ୍ ଇଣ୍ଡିଆ କୋଟା ଅନ୍ତର୍ଗତ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ଏବଂ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ୧୦ ପ୍ରତିଶତର ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। କାଉନସେଲିଂ ବିଳମ୍ବ ହେବାରୁ ଜୁନିଅର ଡାକ୍ତରଙ୍କ ହରତାଳକୁ ଦୃଷ୍ଟିରେ ରଖି ଏହା ଉପରେ ତୁରନ୍ତ ଶୁଣାଣି କରିବାକୁ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ।

Comment