ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶୁକ୍ରବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଦ୍ଵିତୀୟ ପର୍ଯ୍ୟାୟରେ ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହୋଇଛି। ୧,୫୧୪ ପଞ୍ଚାୟତ ଏବଂ ୨୦,୪୩୬ ଓ୍ଵାର୍ଡରେ ମତଦାନ କରିଛନ୍ତି ମୋଟ ୬୨ ଲକ୍ଷ ୧୦ ହଜାର ଭୋଟର।

ରାଜ୍ୟରେ ମୋଟ ୨୦ ହଜାର ୪୩୫ଟି ବୁଥ୍‌ରେ ମତଦାନ କରାଯାଇଛି। ସେଥିମଧ୍ୟରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍‌ ରହିଥିବାରୁ ମତଦାନ ସମୟରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବୁଥଗୁଡ଼ିକରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

କଡ଼ାସୁରକ୍ଷାରେ କୋଟିଆରେ ମତଦାନ

କୋଟିଆ ଗ୍ରାମପୁଞ୍ଜରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ମତଦାନ କରିଥିଲେ ଭୋଟର। ଏଠାରେ ୬୫ ପ୍ରତିଶତ ମତଦାନ ହୋଇଥିବା ପ୍ରଶାନ ପକ୍ଷରୁ ସୂଚନା ମିଳିଛି। ବିବାଦରେ ରହିଥିବା କୋଟିଆ ନିର୍ବାଚନ ସମୟରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ଓଡ଼ିଶା-ଆନ୍ଧ୍ର ସୀମାକୁ ସିଲ୍ କରାଯାଇଛି। ସୀମାରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଗତ ବର୍ଷ ଆନ୍ଧ୍ର ଏଠାରେ ଏକ ତରଫା ନିର୍ବାଚନ କରିଥିଲା। ଚଳିତ ଥର ଓଡ଼ିଶାର ପାଳି। କୋଟିଆ ଗ୍ରାମପୁଞ୍ଜରେ ପଞ୍ଚାୟତ ନିର୍ବାଚନକୁ ଭଣ୍ଡରୁ କରିବା ପାଇଁ ଆନ୍ଧ୍ରର ଷଡ଼ଯନ୍ତ୍ର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଥିଲା।

ବୁଥରୁ ଭୋଟ ବାକ୍ସ ନେଇ ଦୁର୍ବୃତ୍ତ ଚମ୍ପଟ

ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ଜଗତସିଂହପୁର ଜିଲ୍ଲାର ଦୁଇଟି ବୁଥରୁ ଦୁର୍ବୃତ୍ତମାନେ ଭୋଟ ବାକ୍ସ ନେଇ ଫେରାର ହୋଇଥିବାରୁ ମତଦାନ ବନ୍ଦ ରହିଥିଲା। ବୁଧବାର ସକାଳ ୬ଟାରେ ଦୁର୍ବୃତ୍ତମାନେ ସଦର ବ୍ଲକ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥରୁ ଭୋଟ ବାକ୍ସ ନେଇ ପଳାଇଥିଲେ। ଏହାକୁ ନେଇ ମତଦାନ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପ୍ରଶାସନିକ ଅଧିକାରୀମାନେ ବୁଥରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମତଦାନ କଲେ ବଣ୍ଡାଘାଟି ଭୋଟର

ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ମତଦାନ କରିଛନ୍ତି ବଣ୍ଡାଘାଟି ଭୋଟର। ମୁଦୁଲିପଡ଼ା ଏବଂ ଅଣ୍ଡାହାଲ ପଞ୍ଚାୟତରେ ନିଜ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ବଣ୍ଡାଘାଟି ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଆସନ୍ତା ଫେବ୍ରୁଆରି ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଏବଂ ୨୪ ତାରିଖ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ। ଆସନ୍ତା ଫେବ୍ରୁଆରି ୨୬, ୨୭ ଏବଂ ୨୮ ତାରିଖ ଭୋଟ ଗଣତି କରାଯିବ।

Comment