ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ଝାରପଡ଼ା ଗଣେଶ ମଣ୍ଡପ ନିକଟ ଝାରପଡ଼ା ହାଟକୁ ଶୁକ୍ରବାର ସକାଳୁ ସକାଳୁ ଉଚ୍ଛେଦ କରିଛି ବିଡିଏ। ପ୍ରାୟ ୩୦୦ ଦୋକାନ ଭଙ୍ଗାଯାଉଛି। ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଉଚ୍ଛେଦକୁ ବିରୋଧ କରି ବ୍ୟବସାୟୀମାନେ ରାସ୍ତା ରୋକ ଆନ୍ଦୋଳନ କରିଥିବାବେଳେ ବିଜେପି କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଉଭୟ ପୋଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି।

ଏହି ଉଚ୍ଛେଦକୁ ବେଆଇନ ବୋଲି ଦର୍ଶାଇଛନ୍ତି ଭୁବନେଶ୍ଵର ମହାନଗର ନିଗମ ପାଇଁ ବିଜେପି ମେୟର ପ୍ରାର୍ଥୀ ଥିବା ସୁନୀତି ମୁଣ୍ଡ। ସେ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ବ୍ୟବସାୟୀଙ୍କ ପେଟରେ ଲାତ ମାରି ବିନା ନୋଟିସ୍‌ରେ ଏହି ଉଚ୍ଛେଦ କରୁଛନ୍ତି। ପୋଲିସ୍-ଆନ୍ଦୋଳନକାରୀ ମୁହାଁମୁହିଁ ପରିସ୍ଥିତି ପରେ କେତେଜଣ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ୍। ଆଲୋଚନା କରି ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ବିଜେପି କହିଛି।

ଆଜି ସକାଳୁ ୧୦ରୁ ଅଧିକ ଜେସିବି ସହାୟତାରେ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଝାରପଡ଼ା ହାଟ ବଣିକ ସଂଘ ଉଚ୍ଛେଦକୁ ବିରୋଧ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଝାରପଡ଼ା ହାଟ ସ୍ଥାନରେ ଏକ ଅତ୍ୟାଧୁନିକ ନେବର ହୁଡ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ୩ ଏକର ୨୪୭ ଡିସିମିଲି ଜମି ବିଡିଏକୁ ହସ୍ତାନ୍ତର କରାଯାଇଛି। ଏହି ଜମିକୁ ଦୀର୍ଘ ଦିନ ଧରି କିଛି ବ୍ୟବସାୟୀ ଜବରଦଖଲ କରି ରଖିଥିବା ବିଡିଏ ପକ୍ଷରୁ କୁହାଯାଇଛି।

ଏପ୍ରିଲ ୮ ତାରିଖରେ ଜବର ଦଖଲ ଉଚ୍ଛେଦ କରାଯିବା ନେଇ ବିଡିଏ ପକ୍ଷରୁ ଆଗୁଆ ନୋଟିସ ଦିଆଯାଇଥିଲା। ଉଚ୍ଛେଦ ପୂର୍ବରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଝାରପଡ଼ା ହାଟରେ ୧୪୪ ଧାରା ଜାରି କରାଯାଇଥିଲା।

Tags: #JharpadaHaatEviction #DailyMarket #BJPProtest #Vedors

Comment