ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ରନ୍ଧନ ଗ୍ୟାସ ମୂଲ୍ୟରେ ବୃଦ୍ଧି ହୋଇଛି। ରନ୍ଧନ ଗ୍ୟାସ ମୂଲ୍ୟ ଶନିବାର ୫୦ ଟଙ୍କା ବଢ଼ି ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇଛି। ଓଡ଼ିଶା ଉପଭୋକ୍ତାଙ୍କୁ ଏବେ ଅତିରିକ୍ତ ମୂଲ୍ୟ ଦେଇ ଗ୍ୟାସ କିଣିବାକୁ ପଡ଼ିବ। କଟକ ଏବଂ ଭୁବନେଶ୍ଵରରେ ପୂର୍ବରୁ ରନ୍ଧନ ଗ୍ୟାସର ମୂଲ୍ୟ ୯୭୬ ଟଙ୍କା ରହିଥିବାବେଳେ ଏବେ ଏହି ମୂଲ୍ୟରେ ବୃଦ୍ଧି ହୋଇ ୧,୦୨୬ ଟଙ୍କାରେ ପହଞ୍ଚିଛି।

କେଉଁ ଜିଲ୍ଲାରେ ମୂଲ୍ୟ କେତେ?

ଗ୍ୟାସ ମୂଲ୍ୟ ବଢ଼ିବା ପରେ ଏବେ ବିଭିନ୍ନ ଜିଲ୍ଲାବାସୀଙ୍କ ଉପରେ ପ୍ରଭାବ ପଡ଼ିଛି। ଅନୁଗୁଳ ଜିଲ୍ଲାରେ ଗ୍ୟାସ ମୂଲ୍ୟ ବଢ଼ିବା ପରେ ଏବେ ନୂଆ ମୂଲ୍ୟ ୧,୦୪୩.୫୦ ଟଙ୍କା ହୋଇଛି। ସେହିପରି ବରଗଡ଼ରେ ୧,୦୬୨.୫୦ ଟଙ୍କା, ଭଦ୍ରକରେ ୧,୦୪୦ ଟଙ୍କା, ବଲାଙ୍ଗୀରରେ ୧.୦୪୭ ଟଙ୍କା, ବୌଦ୍ଧରେ ୧,୦୩୮ ଟଙ୍କା, ଦେବଗଡ଼ରେ ୧,୦୫୯.୫୦ ଟଙ୍କା, ଢେଙ୍କାନାଳରେ ୧,୦୪୩ ଟଙ୍କା ଏବଂ ଗଜପତି ଜିଲ୍ଲାରେ ୧,୦୩୫ ଟଙ୍କା ହୋଇଛି। ଏହା ସହିତ ଜଗତସିଂହପୁରରେ ୧,୦୪୩.୫୦ ଟଙ୍କା, ଯାଜପୁରରେ ୧,୦୫୭ ଟଙ୍କା, ଝାରସୁଗୁଡ଼ାରେ ୧,୦୫୬, କଳାହାଣ୍ଡି ଏବଂ କନ୍ଧମାଳରେ ୧,୦୨୭ ଟଙ୍କା ଏବଂ କେନ୍ଦ୍ରାପଡ଼ାରେ ୧,୦୪୩.୫୦ ଟଙ୍କାକୁ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି।

ସେହିପରି କେନ୍ଦୁଝର ଜିଲ୍ଲାରେ ୧,୦୫୭ ଟଙ୍କା, କେରାପୁଟରେ ୧,୦୨୮ ଟଙ୍କା, ମାଲକାନଗିରିରେ ୧,୦୨୮.୫୦ ଟଙ୍କା ମୟୁରଭଞ୍ଜରେ ୧,୦୫୯ ଟଙ୍କା, ନୟାଗଡ଼ରେ ୧,୦୨୮.୫୦ ଟଙ୍କା, ପୁରୀ ଏବଂ ରାୟଗଡ଼ା ଜିଲ୍ଲାରେ ୧,୦୨୮ ଟଙ୍କା, ସମ୍ବଲପୁରରେ ୧,୦୬୧ ଟଙ୍କା, ସୋନପୁରରେ ୧,୦୨୯ ଟଙ୍କା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧,୦୫୯ ଟଙ୍କା ହୋଇଛି।

ଏହା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ଘରୋଇ ଗ୍ୟାସ(୧୪.୨ କିଲୋଗ୍ରାମ) ସିଲିଣ୍ଡର ମୂଲ୍ୟରେ ୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ମେ’ ୧ ତାରିଖରେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ମୂଲ୍ୟରେ ୧୦୨.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ୧୯ କିଲୋଗ୍ରାମ ଯୁକ୍ତ ବ୍ୟବସାୟିକ ସିଲିଣ୍ଡର ଉପରେ ଏହି ମୂଲ୍ୟ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଦିଲ୍ଲୀରେ ଏହି ନୀଳ ରଙ୍ଗ ବିଶିଷ୍ଟ ୧୯ କିଲୋଗ୍ରାମ ଯୁକ୍ତ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୨୩୫୫.୫୦ ଟଙ୍କା ରହିଛି। ଏହା ପୂର୍ବରୁ ଏହି ମୂଲ୍ୟ ୨୨୫୩ ଟଙ୍କା ଥିଲା।

ପେଟ୍ରୋଲ, ଡିଜେଲ ମୂଲ୍ୟ ଏବଂ ରନ୍ଧନ ଗ୍ୟାସ ମୂଲ୍ୟରେ ବୃଦ୍ଧିକୁ ନେଇ ଉପଭୋକ୍ତା ଚିନ୍ତାରେ ପଡ଼ିଯାଇଛନ୍ତି। କେବଳ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ନୁହେଁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଜନତାଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।

Tags: #Gas #LPG #GasPriceHike #Odisha

Comment