ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମେ ପ୍ରେମ ତା’ ପରେ ବିବାହ ପାଇଁ ପ୍ରତିଶ୍ରୁତି, ଆଉ ତା’ ପରେ ପ୍ରତାରଣା। ଏଭଳି କିଛି ଅଭିଯୋଗ ଆଣି ଜଣେ ବିଧାୟକଙ୍କ ବିରୋଧରେ ଏତଲା ଦେଇଛନ୍ତି ପ୍ରେମିକା।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ପ୍ରେମିକା ସୋମାଲିକା ଦାଶ। ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଆସିନଥିବାରୁ ବିଧାୟକଙ୍କ ବିରୋଧରେ ଶନିବାର ଜଗତସିଂପୁର ସଦର ଥାନାରେ ଏତଲା ଦେଇଛନ୍ତି ସୋମାଲିକା। ଏପରିକି ବିଧାୟକଙ୍କ ସମ୍ପର୍କୀୟ ତାଙ୍କୁ ବାରମ୍ବାର ଧମକ୍ ଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ସୋମାଲିକାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ବିଜୟ ଶଙ୍କର ଦାସ। ଉଭୟ ବିଧାୟକ ବିଜୟ ଶଙ୍କର ଏବଂ ସୋମଲିକା ବିବାହ କରିବାକୁ ଗତ ୧୬ ତାରିଖରେ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ୯୦ ଦିନ ମଧ୍ୟରେ ଯେକୌଣସି ତାରିଖରେ ବିବାହ କରିହେବ ବୋଲି ନିୟମ ରହିଛି। ଜୁନ ୧୭ ତାରିଖରେ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା।

ଜୁନ ୧୭ ତାରିଖରେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି କରି ସୋମାଲିକା ନିଜ ପରିବାର ଲୋକଙ୍କ ସହ ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚି ଥିଲେ। କିନ୍ତୁ ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ବିବାହ ପାଇଁ ପହଞ୍ଚି ନଥିଲେ ବିଧାୟକ ବିଜୟ ଶଙ୍କର ଦାସ।

ଏହି ମାମଲାକୁ ନେଇ ସାରା ରାଜ୍ୟରେ ଏବେ ଜୋର ସୋର ଚର୍ଚ୍ଚା ଚାଲିଥିବାବେଳେ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି ପ୍ରେମିକା ସୋମାଲିକା ଦାଶ। ଆଜି ସୋମାଲିକା ଜଗତସିଂହପୁର ସଦର ଥାନାରେ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ଏତଲା ଦେଇଛନ୍ତି।

Tags: #TirtolMLA #BijayShankarDas #SomalikaDash #PoliceComplain #FIR

Comment