ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ବୟାନକୁ ନେଇ ଏବେ ସରଗରମ ଓଡ଼ିଶା ରାଜନୀତି। ଏହା ରାମଦାସଙ୍କ ନିଜସ୍ଵ ମତ ବୋଲି ବିଜେପି କହୁଥିବାବେଳେ କଂଗ୍ରେସ କହୁଛି ସିବିଆଇ ଏବଂ ଇଡି ଭଳି ସଂସ୍ଥା ଦ୍ଵାରା ରାଜ୍ୟ ସରକାରଙ୍କୁ ନିୟନ୍ତ୍ରଣ କରିବାକୁ ଚାହୁଁଛି କେନ୍ଦ୍ର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବା ଲାଗି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଆହ୍ୱାନ ପରେ  ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ବିଜେପି କହୁଛି ଏହା ରାମଦାସଙ୍କର ନିଜସ୍ଵ ମତ, ବିଜେପିର ଏଥିରେ କୌଣସି ଆଭିମୁଖ୍ୟ ନାହିଁ। ଅନ୍ୟ ପଟେ କଂଗ୍ରେସ କହିଛି ଏବେ ରାଜ୍ୟ ସରକାରଙ୍କୁ ସିବିଆଇ ଏବଂ ଇଡି ଦ୍ଵାରା ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର। ଏ ପଟେ ଆପ୍ ବି ଏହି ପ୍ରସଙ୍ଗରେ ମୁହଁ ଖୋଲିବାକୁ ପଛାଇ ନାହିଁ। ଆପ କହିଛି ଓଡ଼ିଶାରେ ବିରୋଧୀ ନାହାନ୍ତି। ବିଜେପି ଏବଂ ବିଜେଡି ମେଣ୍ଟରେ ସରକାର ଚାଲିଛି।

ବିଜେଡି ସହ କୌଣସି ବୁଝାମଣା ହେବାର ନାହିଁ: ଜୟନାରାୟଣ ମିଶ୍ର

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ବୟାନକୁ ନେଇ ଆମ ଆଦମୀ ପାର୍ଟିର ନେତା ନିଶିକାନ୍ତ ମହାପାତ୍ର ବିଜେଡି-ବିଜେପିକୁ ଟାର୍ଗଟେ କରିବା ପରେ ମୁହଁ ଖୋଲିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି ରାମଦାସ ଅଠାୱାଲେଙ୍କର ଏହି ବୟାନ ତାଙ୍କର ବ୍ୟକ୍ତିଗତ, ଏଥିରେ ବିଜେପିର କୌଣସି ଅଭିମୁଖ୍ୟ ନାହିଁ। ରାମଦାସ ବିଜେପିର ନୁହଁନ୍ତି ତେଣୁ ତାଙ୍କ ବୟାନକୁ ନେଇ କିଛି କହିବାକୁ ସେ ଉଚିତ ମନେ କରୁନାହାନ୍ତି।

“ନବୀନଙ୍କୁ ଆମେ ଗ୍ରହଣ କରିବୁ ନାହିଁ। ବିଜେଡି ସହ କୌଣସି ବୁଝାମଣା ହେବାର ନାହିଁ। ଯଦି ସେମିତି କିଛି ଯୋଜନା ଥା’ନ୍ତା ତେବେ ମୋତେ କାହିଁକି ଦଳ ବିରୋଧୀ ଦଳର ନେତା କରିଥାନ୍ତା?” କହିଛନ୍ତି ଜୟନାରାୟଣ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାମଦାସ ନିଜ ସ୍ଵାର୍ଥ ପାଇଁ ଏଭଳି ମନ୍ତବ୍ୟ ଦେଇଥିବେ। ଆଗକୁ ବିଜେପିରେ ବଡ଼ ଧରଣ ପରିବର୍ତ୍ତନ ହେବାକୁ ଯାଉଛି। ଓଡ଼ିଶାରେ ବିଜେପି ଏକା ଲଢ଼ିବ ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାର ଆଣୁଥିବା ବିଭିନ୍ନ ବିଲ୍‌କୁ ସଂସଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ପ୍ରସଙ୍ଗ ଉପରେ ସେ କହିଛନ୍ତି ପ୍ରତି ଦଳ ପ୍ରସଙ୍ଗ ଭିତ୍ତିରେ ସମର୍ଥନ ଦେଇଥାନ୍ତି। ବିଜେଡି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଛି। ଏହି ସମର୍ଥନକୁ ନେଇ ଦଳର ନୀତି ବଦଳିବ ନାହିଁ। ଆଗାମୀ ନିର୍ବାଚନରେ ଦଳ ଏକାକୀ ଲଢ଼ିବ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହେଲାଣି ବୋଲି ସେ କହିଛନ୍ତି।

ବିଜେଡିର ସ୍ୱତନ୍ତ୍ରତା ରହିଛି: ଦେବୀ ପ୍ରସାଦ ମିଶ୍ର

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ମନ୍ତବ୍ୟ ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଦେବୀ ପ୍ରସାଦ ମିଶ୍ର। ସେ କହିଛନ୍ତି, ରାମଦାସ ଅଠାୱାଲେ କହୁକହୁ ବହୁତ କଥା କହିଦିଅନ୍ତି। ବିଜେଡିର ନିଜର ପରିଚୟ ରହିଛି, ନିଜର ସ୍ୱତନ୍ତ୍ରତା ରହିଛି। ଆଞ୍ଚଳିକ ଦଳର ନେତା ଭାବେ ସବୁ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେଇଥାନ୍ତି। ସେ ହିଁ ସବୁ ନିର୍ଦ୍ଧାରଣ କରିବେ।

ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ ପାଇଁ ଉଚିତ୍ ବିଲକୁ ବିଜେଡି ସମର୍ଥନ କରିଛି। ଏହାର ଅର୍ଥ ନୁହେଁ ଯେ, ବିଜେଡି  ଏନଡିଏର ଅଂଶ। ସଂଘୀୟ ବ୍ୟବସ୍ଥାରେ ଯେମିତି ସମ୍ପର୍କ ରହିବା କଥା ରହିଛି। ଅତୀତରେ ମେଣ୍ଟ ଥିଲା, କିନ୍ତୁ ଏବେ ନାହିଁ। ରାଜନୀତିରେ ଏମିତି ଚାଲେ, ଏହା ନୂଆ କଥା ନୁହେଁ ବୋଲି ଦେବୀ ମିଶ୍ର କହିଛନ୍ତି।

ରାଜ୍ୟ ସରକାରଙ୍କୁ ନିୟନ୍ତ୍ରଣ କରିବାକୁ ଚାହୁଁଛି କେନ୍ଦ୍ର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟ

ଦୀର୍ଘ ୯ ବର୍ଷ ବିଜେପି-ବିଜେଡି ଏକାଠି ରହିଲେ। ନବୀନ ସରକାର ଆର୍ଥିକ ଭାବେ ସୁଦୃଢ଼ ହେବା ସହ କ୍ଷମତା ହାତେଇବା ପରେ ବିଜେପିକୁ ଦୂରେଇ ଦେଇଥିଲେ। ସିବିଆଇ, ଇନକମ ଟ୍ୟାକ୍ସ ଏବଂ ଇଡି ଭଳି ସଂସ୍ଥା ଦ୍ଵାରା ଏବେ ନବୀନ ସରକାରଙ୍କୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। କେନ୍ଦ୍ର ବିଜେପି ନବୀନ ସରକାରଙ୍କୁ ଦଳରେ ମିଶାଇବ ନାହିଁ ବୋଲି ସେ କହିଛନ୍ତି।

ଓଡ଼ିଶାରେ ବିରୋଧୀ ନାହାନ୍ତି: ଆମ ଆଦମୀ ପାର୍ଟି

ଏହି ଘଟଣାକୁ ନେଇ ମନ୍ତବ୍ୟ ଦେବାରେ ପଛରେ ନାହିଁ ଆମ ଆଦମୀ ପାର୍ଟି। ରାମଦାସ ଅଠାୱାଲେଙ୍କ ମନ୍ତବ୍ୟ ପରେ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟିର ନେତା ନିଶିକାନ୍ତ ମହାପାତ୍ର। ସେ କହିଛନ୍ତି ଓଡ଼ିଶାରେ ଆଉ ବିରୋଧୀ ନାହାନ୍ତି। ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟରେ ସରକାର ଚାଲିଛି। ବିହାରରେ ନୀତିଶ କୁମାର ଏନଡିଏର ହାତ ଛାଡ଼ିବା ପରେ ଏବେ ଏନଡିଏରେ ନବୀନଙ୍କର ଆବଶ୍ୟକତା ବଢ଼ିଯାଇଛି। ଓଡ଼ିଶାରେ ସମଦୂରତା ନୁହେଁ ସମର୍ପଣର ରାଜନୀତି ଚାଲିଛି ବୋଲି ସେ କହିଛନ୍ତି।

ସୋମବାର ଦିନ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଓଡ଼ିଶା ଗସ୍ତରେ ଆସି ଯେଉଁ ବିସ୍ଫୋରକ ବୟାନ ଦେଇଥିଲେ ତାହାକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି। ଏନଡିଏରେ ନବୀନ ସାମିଲ ହୁଅନ୍ତୁ ବୋଲି ଅଠାୱାଲେ କହିଥିଲେ। ଉଭୟ ରାଜ୍ୟସଭା ଓ ଲୋକସଭାରେ ବିଭିନ୍ନ ବିଲ୍ ପାରିତ ସମୟରେ ଏନଡିଏରେ ନଥାଇ ମଧ୍ୟ ନବୀନ ପଟ୍ଟନାୟକ ସମର୍ଥନ ଦେଇ ଆସୁଛନ୍ତି। ନବୀନ ଏନଡିଏକୁ ଆସିଲେ ଫାଇଦାରେ ରହିବା ସହ ଓଡ଼ିଶାକୁ ଅଧିକ ଅନୁଦାନ ମିଳିବ ବୋଲି ଅଠାୱାଲେ କହିଥିଲେ।

Tags: #Politics #OdishaPolitics #BJD #BJP #Congress #AAP #NDA

Comment