ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): କୋରାପୁଟ ଜିଲ୍ଲା ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ସେପ୍ଟେମ୍ବର ୨ ତାରିଖରେ ‘ରନ ଅପ ଟୁ ଟିଚର୍ସ ଡେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୀମା ସୁରକ୍ଷା ବଳର ସଂଗଠନ, ଏହାର କାର୍ଯ୍ୟକାରିତା ଏବଂ ଜଣେ ସୀମା ପ୍ରହରୀର ଜୀବନ ସମ୍ପର୍କରେ ଯୁବପିଢ଼ିଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି।

ଏହି ଅବସରରେ ବିଏସଏଫ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର, ହ୍ୟାଣ୍ଡ୍ ଗ୍ରେନେଡ ସମେତ ଆସଲ୍ଟ ରାଇଫଲ୍, ୟୁବିଜିଏଲ, ଏଲଏମଜି (ହାଲୁକା ମେସିନ୍ ବନ୍ଧୁକ), ଏମଏମଜି (ମଧ୍ୟମ ମେସିନ ବନ୍ଧୁକ), ଏଚଏଚଏମଡି (ହ୍ୟାଣ୍ଡ-ହେଲ୍ଡ ମେଟାଲ୍ ଡିଟେକ୍ଟର୍ସ) ସହିତ ଥର୍ମାଲ୍ ଇମେର୍ଜିଙ୍ଗ ଡିଭାଇସ୍ ଏବଂ ନାଇଟ୍-ଭିଜନ୍ ଉପକରଣ ଲକ୍ଷ୍ମୀପୁର ସରକାରୀ କଲେଜରେ ପ୍ରଦର୍ଶନ କରାଯାଇଥିଲା।

ଏକ ଡଗ୍ ସୋ’ର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ଦେଶର ସୁରକ୍ଷା ପାଇଁ ବିଏସଏଫ କେତେ ପ୍ରତିବଦ୍ଧ ତାହା ପ୍ରଦର୍ଶିତ କରାଯାଇଥିଲା। ଏହା ସହିତ ତାଲିମପ୍ରାପ୍ତ କୁକୁରମାନେ ବିଏସଏଫକୁ କିପରି ସହାୟତା କରନ୍ତି ସେ ସମ୍ପର୍କରେ ସଚେତନ କରାଯାଇଥିଲା।

ସମସ୍ତ କାର୍ଯ୍ୟକ୍ରମ ପରେ କୋରାପୁଟ ବିଏସଏଫ ଡିଆଇଜି ମଦନ ଲାଲ ଯୁବକମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଦେଶର ସୁରକ୍ଷା କ୍ଷେତ୍ରରେ ସଶସ୍ତ୍ର ବାହିନୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ବିଏସଏଫରେ ମହିଳାଙ୍କ ପାଇଁ ଉପଲବ୍ଧ ସୁଯୋଗ ଏବଂ ଅନ୍ତର୍ଜାତୀୟ ସୀମାରେ ସେମାନଙ୍କର ଭୂମିକା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଏସଏଫ ଦ୍ଵାରା କୋରାପୁଟ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦଣ୍ଡାବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୈପାରିଗୁଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟ, ଲମତାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ, ଅଙ୍କାଡେଲି ସରକାରୀ ଉଚ୍ଚ ବିଦ୍ୟାଳୟ, ପେଟୁରୁ ସରକାରୀ ଉଚ୍ଚ  ବିଦ୍ୟାଳୟ, ରାଜୁଗୁଡ଼ା ସରକାରୀ ହାଇସ୍କୁଲ, ସୁଙ୍କି ବିଜୁ ହାଇସ୍କୁଲ, ବନ୍ଧୁଗାଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କୁମ୍ଭାରିପୁଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଚିତ୍ରାଙ୍କନ ଓ କ୍ରୀଡ଼ା ପ୍ରତିଯୋଗିତା କରାଯାଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଏସଏଫର ଡକ୍ୟୁମେଣ୍ଟାରି ଭିଡିଓ ପ୍ରଦର୍ଶନ କରାଯାଇଥିଲା।

Tags: #BSF #KoraputBSF #Runuptoteachersday #Competition

Comment