ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଜୟପୁର ଏୟାରପୋର୍ଟରୁ ଖୁବ୍ ଶୀଘ୍ର ଉଡ଼ାଣ ଭରିବାକୁ ଯାଉଛି ବ୍ୟବସାୟିକ ବିମାନ। ଏ ନେଇ ଦୁଇଦିନ ହେବ ଡିଜିସିଏ ଓ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟି ଟିମ ପହଞ୍ଚି ଯାଞ୍ଚ କରିଛନ୍ତି। ଏୟାର ପୋର୍ଟ ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ପ୍ରାୟ ୬୭ଟି ତ୍ରୁଟି ରହିଥିବା ଗତ ଦିନରେ ଆସିଥିବା ଡିଜିସିଏ ଚିହ୍ନଟ କରି ରିପୋର୍ଟ ଦେଇଥିଲେ। ଏହାର ସଂଶୋଧନ କରାଯିବା ପରେ ଡିଜିସିଏର ଟିମ୍ ଯାଞ୍ଚ କରି ଫେରିଛି।
ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟି ଟିମ୍ ବେସାମରିକ ସୁରକ୍ଷା ମୁଖ୍ୟ ୩ ଜଣିଆ ଟିମ ସହ ଜୟପୁର ଏୟାରପୋର୍ଟରେ ପହଞ୍ଚି ସୁରକ୍ଷା ଯାଞ୍ଚ କରିଛନ୍ତି। ଏଥିରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଟିମ୍ ସାମିଲ ହୋଇଥିଲେ। କୋରାପୁଟ ଏସପି ବରୁଣ ଗୁଣ୍ଠପାଲ୍ଲିଙ୍କ ଉପସ୍ଥିତିରେ ଯାଞ୍ଚ କାର୍ଯ୍ୟ ସରିବା ପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ରିଜିଓନାଲ ଡାଇରେକ୍ଟର ବିସିଏସ ଭୁବନେଶ୍ୱର ପ୍ରବିଣ ଲଛପ, କୋରାପୁଟ ଏସପି ବରୁଣ ଗୁଣ୍ଠପାଲ୍ଲି, କମାଣ୍ଡାଣ୍ଟ ଓଏସଏପି ତଥା ସିନିୟର ନୋଡାଲ ଅଫିସର ଟଙ୍କଧର ପ୍ରଧାନ, ରାସ୍ତା ଓ ଗୃହ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାସ୍କର ସାମନ୍ତରାୟ, ଏସଡିପିଓ ଅରୁପ ଅଭିଶେକ ବେହେରା, ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା, ଏଜିଏମ ଏଟିସି ସରୋଜ କୁମାର ସାହୁ, ଭୁବନେଶ୍ୱର ଏସଏଏସଓ ବିସିଏସ ପଙ୍କଜ କୁମାର ତିବାରି, ଏସିଆଇଓ ଆଇବି ଆଦିତ୍ୟ କୁମାର, ଏସଏମ ସିକ୍ୟୁରିଟି ପ୍ରସନ୍ନ କୁମାର ସାହୁ ଏବଂ ଜୟପୁର ଏୟରାପୋର୍ଟ ସିଏସଓ ସୀମାଞ୍ଚଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ନିୟମିତ ଜୟପୁରକୁ ବ୍ୟବସାୟିକ ଉଡ଼ାଣ ସେବା ଆରମ୍ଭ ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି।
ଜୟପୁର ଏୟାରପୋର୍ଟରୁ ଇଣ୍ଡିଆ ଓ୍ଵାନ ଏୟାର ଟ୍ରାଏଲ ଭାବେ ନିୟମିତ ଭୁବନେଶ୍ୱର-ଜୟପୁର-ବିଶାଖାପାଟଣା ଉଡ଼ାଣ ଜାରି ରଖିଛି। ଚଳିତ ମାସ ଶେଷ ସୁଦ୍ଧା ନିୟମିତ ବିମାନ ଉଡ଼ାଣ ପାଇଁ ଅନୁମତି ମିଳିବାର ସମ୍ଭାବନା ରହିଥିବା ରାସ୍ତା ଓ ଗୃହ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାସ୍କର ସାମନ୍ତରାୟ କହିଛନ୍ତି।
Tags: #JoypureAirport #Airport #CommercialFlight #Service


















