ଓଡ଼ିଶାଲାଇଭ୍ ବ୍ୟୁରୋ

ହିନ୍ଦୀ ଭାଷାରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ‘ଦମନ’ । ଏବେ ଭାରତର ବିଭିନ୍ନ ସହରରେ ଓଡ଼ିଆରେ ଏହି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଖୁବଶୀଘ୍ର ହିନ୍ଦୀ ଭାଷାରେ ରିଲିଜ୍ ହେବ ବୋଲି ସୂଚନା ଦେଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ।

ଫିଲ୍ମକୁ ହିନ୍ଦୀ ଭାଷାରେ ଡବିଂ କରାଯାଇ ଭାରତରେ ପାଖାପାଖି ୪୦୦ରୁ ଉର୍ଦ୍ଧ ସିନେମା ହଲରେ ପ୍ରଦର୍ଶିତ କରାଯିବ।  ଏଥିପାଇଁ ଫିଲ୍ମର ମୁଖ୍ୟ କଳାକାର ବାବୁସାନ ମହାନ୍ତି ମୁମ୍ବାଇ ଯାତ୍ରା କରିଛନ୍ତି। ଫିଲ୍ମର ଡାଇଲଗ ଓ ଗୀତଗୁଡିକୁ ଆହୁରି ଭଲ ଭାବେ ହିନ୍ଦୀରେ ଅନୁବାଦ କରାଯିବ।

ବାବୁସାନ ମହାନ୍ତି କହିଛନ୍ତି ,”ଦମନ ଭଳି ଏକ ଓଡ଼ିଆ ଫିଲ୍ମ ଜାତୀୟ ସ୍ତରରେ ପ୍ରଦର୍ଶନ ହେବା ମୋ ପାଇଁ ଏବଂ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ।”

ନଭେମ୍ବର ୪ ତାରିଖରେ ରିଲିଜ ହୋଇଥିବା ଦମନ ଫିଲ୍ମ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ବହୁତ ଦିନ ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିଥିବା ଏଭଳି ଏକ ଚଳଚ୍ଚିତ୍ର ସିନେ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଓଡ଼ିଆ ସିନେମାରୁ ଦର୍ଶକ ମୁହଁ ଫେରାଉଥିବାବେଳେ ଏହି ଫିଲ୍ମ ପୁଣି ହଲକୁ ଯିବାକୁ ଦର୍ଶକଙ୍କ ଉତ୍ସାହ ବଢାଇଛି।

ତେବେ ଏହି ଫିଲ୍ମର କାହାଣୀ ଅତି ସରଳ ରହିଛି। ଦୁର୍ଗମ ଅଞ୍ଚଳରେ ଜଣେ ଡାକ୍ତରଙ୍କ ସଂଘର୍ଷର କାହାଣୀ ଏହି ଫିଲ୍ମରେ ଦର୍ଶାଯାଇଛି। ଓଡ଼ିଶାର ପାଣି ପବନ,ଓଡିଶାର ବାସ୍ନା ଏହି ଚଳଚ୍ଚିତ୍ରରେ ରହିଛି।

କେବଳ ଓଡ଼ିଶାରେ ନୁହେଁ, ବାହାର ରାଜ୍ୟରେ ବି ଓଡ଼ିଆ ଫିଲ୍ମ ଦମନକୁ ବିପୁଳ ସମର୍ଥନ ମିଳିଛି। ଦମନ ଫିଲ୍ମରୁ ଓଡ଼ିଆ ସିନେ ଜଗତର ନବକଳେବର ଆରମ୍ଭ ହୋଇଥିବା ମଧ୍ୟ କୁହାଯାଉଛି।

Tags: #Damanmovie #BabushanMohanty #Hindirelease #Odisha

Comment