ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ମଙ୍ଗଳବାର ଦିନ ଭୁବନେଶ୍ଵର କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ। ଅର୍ଚ୍ଚନାଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଉଭୟ ଜଗବନ୍ଧୁ ଏବଂ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯାଇଛି।

ଏହା ପୂର୍ବରୁ ଡିସେମ୍ବର ୫ ତାରିଖରେ ଅର୍ଚ୍ଚନାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୁବନେଶ୍ଵର କୋର୍ଟରେ ହାଜର କରାଯାଇଥିଲା। ଅର୍ଚ୍ଚନାଙ୍କ ଆର୍ଥିକ ସାମ୍ରାଜ୍ୟର ଖୋଳତାଡ଼ କରିବାକୁ ଡିସେମ୍ବର ୬ ତାରିଖରେ ସାତ ଦିନ ପାଇଁ ରିମାଣ୍ଡରେ ନେଇଥିଲା ଇଡି। ସୋମବାର ଦିନ ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିବାବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଛି।

ଅର୍ଚ୍ଚନାଙ୍କୁ ପୁଣି ୭ ଦିନ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଛି। ଏହା ସହିତ ଜଗବନ୍ଧୁ ଚାନ୍ଦଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଛି। ରିମାଣ୍ଡରେ ଯାଇଥିବାବେଳେ ଇଡିକୁ ଅର୍ଚ୍ଚନା ସହଯୋଗ କରିନଥିବା ସୂଚନା ମିଳୁଛି। ରିମାଣ୍ଡରେ ଯିବା ଦିନ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଇଥିଲେ ଯେ, ସେ ମୁହଁ ଖୋଲିଲେ ସାରା ରାଜ୍ୟ ଓଲଟି ଯିବ। ସବୁ ପ୍ରମାଣ ଦେବାକୁ ସେ ଅଧଘଣ୍ଟା ସମୟ ମଧ୍ୟ ମାଗିଥିଲେ। କିନ୍ତୁ ଆଜି ସେ ମୁହଁ ଖୋଲିନଥିବା ଦେଖିବାକୁ ମିଳିଛି।

ଅର୍ଚ୍ଚନା ନାଗଙ୍କ ଆର୍ଥିକ ସାମ୍ରାଜ୍ୟର ଖୋଳତାଡ଼ କରିବାକୁ ଉଭୟ ଜଗବନ୍ଧୁ ଏବଂ ଅର୍ଚ୍ଚନାକୁ ଇଡି ଅଧିକାରୀ ମୁହାଁମୁହିଁ ଜେରା କରିବେ ବୋଲି ଜଣାପଡ଼ିଛି। ଅନ୍ୟ ପଟେ ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି ସାତ ଦିନ ରିମାଣ୍ଡ ଅବଧି ମଧ୍ୟରେ ଅର୍ଚ୍ଚନା ଇଡି ଅଧିକାରୀଙ୍କୁ ସହଯୋଗ କରିଛନ୍ତି। ଇଡି କାର୍ଯ୍ୟାଳୟରେ ସାଦା କାଗଜରେ ଅର୍ଚ୍ଚନାଙ୍କ ଦସ୍ତଖତ ନିଆଯାଇଥିବା ମଧ୍ୟ ସେ କହିଛନ୍ତି।

Tags: #ArchanaNaag #BlackmailingCase #BhubaneswarCourt #JagabandhuChand

Comment