ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵର ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଏନେଇ ସତର୍କ ହୋଇଛନ୍ତି। ଜାନୁଆରି ୧ ତାରିଖରୁ ଚାଇନା, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଆର୍‌ଟି-ପିସିଆର୍‌ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଭାରତ ଯାତ୍ରା ପୂର୍ବରୁ ସେମାନଙ୍କୁ ଏହି ରିପୋର୍ଟକୁ ‘ଏୟାର ସୁବିଧା’ ପୋର୍ଟାଲରେ ଅପଲୋଡ୍ କରିବାକୁ ପଡ଼ିବ। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ଵିଟ କରି ସୂଚନା ଦେଇଛନ୍ତି।

ଚାଇନା ଏବଂ ଦକ୍ଷିଣ କୋରିଆ ସମେତ ଦକ୍ଷିଣ-ପୂର୍ବ ଏସିଆର କେତେକ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। କୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

କୋଭିଡ୍ କ୍ଷେତ୍ରରେ ଆସନ୍ତା ୪୦ ଦିନ ଗୁରୁତ୍ୱପୂର୍ଣ୍ଣ ବୋଲି ବୁଧବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ଜାନୁଆରି ମାସରେ ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବ ବୋଲି ଅନୁମାନ କରାଯାଇଛି।

Tags: #Covid-19 #RT-PCRtest #6Nations #Airports #InternationalArrival

 

Comment