ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ସୋମବାର ଦିନ ୨୯ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା। ୧୯୯୪ ମସିହା ଜାନୁୟାରି ୨ ତାରିଖରେ ଅବିଭକ୍ତ କନ୍ଧମାଳ ଜିଲ୍ଲାରୁ ସ୍ୱତନ୍ତ୍ର ହୋଇ ଜିଲ୍ଲାର ମାନ୍ୟତା ପାଇଥିଲା ବୌଦ୍ଧ।

ବର୍ଷ ପରେ ବର୍ଷ ଗଡ଼ି ଚାଲିଥିଲେ ହେଁ ଗତ ୨୮ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳକୁ ଗମନାଗମନ ପାଇଁ ସୁବିଧା ହୋଇପାରୁ ନାହିଁ। କିଛି ହାତ ଗଣତି ଉନ୍ନୟନ କାର୍ଯ୍ୟକୁ ଛାଡ଼ିଦେଲେ ଅଦ୍ୟାବଧି ଜିଲ୍ଲାରେ ଉଚ୍ଚଶିକ୍ଷା, ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଓ ପାନୀୟ ଜଳ ସମସ୍ୟା ଏବେବି ଲାଗି ରହିଛି। ବୌଦ୍ଧ ଜିଲ୍ଲା ୨୯ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଆଜିବି ବିକାଶର ସ୍ୱପ୍ନ ରହିଛି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଅଭିବକ୍ତ କନ୍ଧମାଳ ଜିଲ୍ଲାରୁ ଅଲଗା ହୋଇ ଗଠନ ହୋଇଥିଲା ସ୍ୱତନ୍ତ୍ର ବୌଦ୍ଧ ଜିଲ୍ଲା। ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ୩ଟି ବ୍ଲକକୁ ନେଇ ଗଠନ ହୋଇଥିଲା। ଏଠାରେ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ନଥିବାରୁ ଏହି ଜିଲ୍ଲା ଛାତ୍ରଛାତ୍ରୀଙ୍କୁ ଅନ୍ୟ ଜିଲ୍ଲାଗୁଡ଼ିକର କଲେଜ ଉପରେ ନିର୍ଭର କରିବାକୁ ପଡ଼ୁଛି। ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଦୀର୍ଘ ବର୍ଷ ହେଲା ଡାକ୍ତର ପଦବୀ ଖାଲିପଡ଼ିଛି। ସ୍ୱାସ୍ଥ୍ୟସେବା ପାଇଁ ମଧ୍ୟ ଜିଲ୍ଲାବାସୀଙ୍କୁ ଅନ୍ୟ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼ୁଛି। ଅନେକ ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। ଅନେକ ସମୟରେ ରୋଗୀଙ୍କୁ ଦୋଳା ଏବଂ ଖଟିଆରେ ନେବାର ଦୃଶ୍ୟ ଦେଖିବାକୁ ମିଳେ। ବର୍ଷ ପରେ ବର୍ଷ ବିତି ଚାଲୁଥିବାବେଳେ ଏବେ ବି ଜିଲ୍ଲାବାସୀ ଆଖିରେ ବିକାଶର ପୁଳାଏ ସ୍ଵପ୍ନ ରହିଛି।

Tags: #BoudhDist #BoudhCompleted28Years

Comment