ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ଵକପ୍ ଖେଳିବାପାଇଁ ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ଦଳର ଓଡ଼ିଶାରେ ଆଗମନ ହୋଇଛି। ଶୁକ୍ରବାର ଅପରାହ୍ଣରେ ଏହି ଦୁଇ ଦଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଦୁଇ ଦଳର ଖେଳାଳିମାନଙ୍କୁ ହକି ଇଣ୍ଡିଆ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ଵାଗତ କରାଯାଇଛି।

ଭୁବନେଶ୍ଵରରେ ପହଞ୍ଚିବା ପରେ ନ୍ୟୁଜିଲାଣ୍ଡ ଓ ଆର୍ଜେଣ୍ଟିନା ଦଳର ଖେଳାଳିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଛି। ଜାନୁଆରି ୧୪ ତାରିଖରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚିଲି ବିପକ୍ଷ ମ୍ୟାଚ୍ ଖେଳି ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ ନ୍ୟୁଜିଲାଣ୍ଡ। ସେହିଦିନ କଳିଙ୍ଗ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ଖେଳି ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ ଆର୍ଜେଣ୍ଟିନା।

“ଓଡିଶାର ହକି ପ୍ରେମୀ ଦର୍ଶକଙ୍କ ଆଗରେ ଖେଳିବାର ସୁଯୋଗ ପାଇବା ଆମ ପାଇଁ ସମ୍ମାନର କଥା। ଆମେ ଶେଷ ଥର ପାଇଁ ଏଠାରେ ଭାରତ ଏବଂ ସ୍ପେନ୍ ବିପକ୍ଷରେ ଖେଳିଥିଲୁ। ବିଶ୍ଵକପରେ ଖେଳିବା ଟିକିଏ ଭିନ୍ନ ହେବା ବୋଲି ଆମେ ଆଶା କରୁଛୁ। ଆମେ ଖେଳ ଶୈଳୀରେ ଉନ୍ନତି କରିଛୁ, ଏହା ଆସନ୍ତା ବିଶ୍ଵକପରେ ଆମ ପାଇଁ ଫଳପ୍ରଦ ହେବ”, କହିଛନ୍ତି ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ନିକ୍ ଉଡ୍ସ।

“ଆମେ ପୁରୁଷ ହକି ବିଶ୍ଵକପ୍ ୨୦୨୩ରେ ବିଜୟ ଲାଭ କରିବା ଲକ୍ଷ୍ୟରେ ଓଡିଶା ଆସିଛୁ। ଲିଓନେଲ ମେସି ଏବଂ ଆମର ଫୁଟବଲ ଦଳ କତାରରେ ଫିଫା ବିଶ୍ଵକପ୍ ଜିତିବା ଆମକୁ ଅନେକ ପ୍ରେରଣା ଦେଇଛି। ହକି ବିଶ୍ଵକପ୍ ଜିତି ଆମେ ଏହାର ପୁନରାବୃତ୍ତି କରିବାକୁ ଚେଷ୍ଟା କରିବୁ। ଏହା କଷ୍ଟସାଧ୍ୟ ହେବ କିନ୍ତୁ ଆମେ ଉତ୍ସାହିତ ଅଛୁ”, କହିଛନ୍ତି ଆର୍ଜେଣ୍ଟିନା ଦଳର ଅଧିନାୟକ ମ୍ୟାଟିୟସ୍ ରେ।

ବିଶ୍ଵକପରେ ଆର୍ଜେଣ୍ଟିନା ଗ୍ରୁପ୍ ଏ ରେ ରହିଥିବାବେଳେ, ଗ୍ରୁପ୍ ସି ରେ ରହିଛି ନ୍ୟୁଜିଲାଣ୍ଡ ଟିମ୍। ଆର୍ଜେଣ୍ଟିନା ହକି ବିଶ୍ଵକପ୍ ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ଭଳି ଦଳଙ୍କ ସହ ପ୍ରତିଦ୍ଵନ୍ଦିତା କରିବ। ସେହିପରି ନେଦରଲାଣ୍ଡସ, ମାଲେସିଆ ଓ ଚିଲି ସହ ଗ୍ରୁପ୍ ପର୍ଯ୍ୟାୟ ଖେଳିବ ନ୍ୟୁଜିଲାଣ୍ଡ।

Tags: #HockeyIndia #IndiakaGame #StarsBecomeLegend #HWC2023 #ArgentinaTeam #NewZealandTeam

 

Comment