ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ହେବାକୁଥିବା ପୁରୁଷ ହକି ବିଶ୍ଵକପରେ ଅଂଶଗ୍ରହଣ କରିବାକୁ ସ୍ପେନ, ଫ୍ରାନ୍ସ ଓ ଦକ୍ଷିଣ କୋରିଆ ଦଳଙ୍କ ଆଗମନ ହୋଇଛି। ରବିବାର ଭୁବନେଶ୍ୱର ବିମାନବନ୍ଦରରେ ଏହି ତିନି ଦଳର ଖେଳାଳିମାନେ ପହଞ୍ଚିଛନ୍ତି। ହକି ଇଣ୍ଡିଆ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଖେଳାଳିମାନଙ୍କ ସ୍ଵାଗତ କରାଯାଇଛି।

ଭୁବନେଶ୍ଵରରେ ପହଞ୍ଚିବା ପରେ ସ୍ପେନ, ଫ୍ରାନ୍ସ ଓ ଦକ୍ଷିଣ କୋରିଆ ଦଳର ଖେଳାଳିମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଛି। ଏହି ଦଳଗୁଡ଼ିକ ସୋମବାରଠାରୁ ଭୁବନେଶ୍ୱରରେ ନିଜର ଅଭ୍ୟାସ ଆରମ୍ଭ କରିବେ।

ହକି ବିଶ୍ଵକପ ୨୦୨୩ରେ ସ୍ପେନ ଦଳର ଅଭିଯାନ 

ସ୍ପେନ ଦଳ ହକି ବିଶ୍ଵକପରେ ଜାନୁଆରି ୧୩ ତାରିଖରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ। ଭୁବନେଶ୍ୱରରେ ପ୍ରାରମ୍ଭିକ ଅଭ୍ୟାସ ପରେ ଦଳ ରାଉରକେଲା ଗସ୍ତ କରିବ।

ହକି ବିଶ୍ଵକପରେ ସ୍ପେନ ଦଳ ସବୁଥର ଅଂଶଗ୍ରହଣ କରିଆସୁଛି। ଚଳିତ ବିଶ୍ଵକପରେ ଗ୍ରୁପ୍ ‘ଡି’ ରେ ରହିଛି ସ୍ପେନ ଟିମ୍। ଆଲଭାରୋ ଇଗ୍ଲେସିଆସଙ୍କ ନେତୃତ୍ଵରେ ବିଶ୍ଵକପରେ ଖେଳିବ ସ୍ପେନ। ହକି ବିଶ୍ଵକପ୍ ଗ୍ରୁପ୍ ପର୍ଯ୍ୟାୟରେ ଦଳ ଭାରତ,ଇଂଲଣ୍ଡ ଓ ୱେଲ୍ସ ଭଳି ଦଳଙ୍କ ସହ ପ୍ରତିଦ୍ଵନ୍ଦିତା କରିବ।

“ବିଶ୍ଵକପରେ ଖେଳିବା ସବୁଠାରୁ ରୋମାଞ୍ଚକର କଥା। ଆମର ପ୍ରଥମ ମ୍ୟାଚରେ ଭାରତ ପିପକ୍ଷରେ ଖେଳିବୁ। ରାଉରକେଲାରେ ସ୍ଥାନୀୟ ଦର୍ଶକଙ୍କ ସମ୍ମୁଖରେ ଭାରତ ସହ ଖେଳିବା ହେବ ଆମର ପ୍ରସ୍ତୁତି ଭଲ ହୋଇଛି ଏବଂ ଆମେ ଏଠାରେ ଭଲ ପ୍ରଦର୍ଶନ କରିବୁ”, କହିଛନ୍ତି ସ୍ପେନ ଅଧିନାୟକ ଆଲଭାରୋ ଇଗ୍ଲେସିଆସ।

ହକି ବିଶ୍ଵକପ ୨୦୨୩ରେ ଦକ୍ଷିଣ କୋରିଆର ଅଭିଯାନ

ଅନ୍ୟପଟେ ଦକ୍ଷିଣ କୋରିଆ ଦଳ ଜାନୁଆରି ୧୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ବେଲଜିୟମ ବିପକ୍ଷରେ ମ୍ୟାଚ୍ ଖେଳି ନିଜର ବିଶ୍ଵକପ ଅଭିଯାନ ଆରମ୍ଭ କରିବ।

ହକି ବିଶ୍ଵକପରେ ଦକ୍ଷିଣ କୋରିଆ ସପ୍ତମ ଥର ଲାଗି ଅଂଶଗ୍ରହଣ କରିବ। ୧୯୯୪ ମସିହା ବିଶ୍ଵକପରେ ପ୍ରଥମ ଥର ପାଇଁ ଖେଳିଥିଲା ଦକ୍ଷିଣ କୋରିଆ। ଚଳିତ ବିଶ୍ଵକପରେ ଦକ୍ଷିଣ କୋରିଆ ଟିମ୍ ଗ୍ରୁପ୍ ‘ସି’ ରେ ରହିଛି। ଲି ସିୟୁଙ୍ଗ ଇଲଙ୍କ  ନେତୃତ୍ଵରେ ଦକ୍ଷିଣ କୋରିଆ ବିଶ୍ଵକପରେ ଖେଳିବ। ବିଶ୍ଵକପ୍ ଗ୍ରୁପ୍ ପର୍ଯ୍ୟାୟରେ ଦଳ ବେଲଜିୟମ ,ଜର୍ମାନୀ ଓ ଜାପାନ ଭଳି ଦଳଙ୍କ ସହ ପ୍ରତିଦ୍ଵନ୍ଦିତା କରିବ।

“ଆମର ଖେଳାଳିମାନେ ଓଡ଼ିଶାରେ ଆୟୋଜିତ ହେଉଥିବା ହକିର ଏହି ମେଗା ଟୁର୍ନାମେଣ୍ଟରେ ଖେଳିବା ପାଇଁ ଉତ୍ସାହିତ ଅଛନ୍ତି। ଆମେ ଏଠାରେ ଭଲ କରିବାକୁ ଚାହୁଁଛୁ ଏବଂ ଆମର ବିଶ୍ୱାସ ଅଛି ଯେ ଆମେ ହକି ବିଶ୍ୱକପ ୨୦୨୩ରେ ବଡ଼ ଦଳଙ୍କ ବିପକ୍ଷରେ ମ୍ୟାଚ୍ ଜିତିବାରେ ସମର୍ଥ ହେବୁ। ଆମ ଦଳର ଅନେକ ଅଭିଜ୍ଞତା ରହିଛି ଏବଂ ଏହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ”, କହିଛନ୍ତି ଦକ୍ଷିଣ କୋରିଆ କ୍ୟାପଟେନ ଲି ସିୟୁଙ୍ଗ ଇଲ୍।

ହକି ବିଶ୍ଵକପ ୨୦୨୩ରେ ଫ୍ରାନ୍ସ ଦଳ 

ସେହିପରି ଜାନୁଆରି ୧୪ ତାରିଖରେ ଫ୍ରାନ୍ସ କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳି ବିଶ୍ଵକପ ଅଭିଯାନ ଆରମ୍ଭ କରିବ।

ହକି ବିଶ୍ଵକପରେ ଫ୍ରାନ୍ସ ଚତୁର୍ଥ ଥର ଲାଗି ଅଂଶଗ୍ରହଣ କରିବ। ଚଳିତ ବିଶ୍ଵକପରେ ଗ୍ରୁପ୍ ‘ଏ’ ରେ ରହିଛି ଫ୍ରାନ୍ସ ଭିକ୍ଟର ଚାରଲେଟ ନେତୃତ୍ଵରେ ଫ୍ରାନ୍ସ ବିଶ୍ଵକପରେ ଖେଳିବ। ବିଶ୍ଵକପ୍ ଗ୍ରୁପ୍ ପର୍ଯ୍ୟାୟରେ ଦଳ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ଭଳି ଦଳଙ୍କ ବିପକ୍ଷରେ ଖେଳିବ।

Tags: #HockeyIndia #IndiakaGame #StarsBecomeLegend #HWC2023 #SpainTeam #SouthKoreaTeam #FranceTeam

 

Comment