ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ବିଭିନ୍ନ ସହରରେ ବିଶ୍ଵକପ୍ ହକି ଟ୍ରଫି ଟୁର୍ ଶେଷ ହେବା ପରେ ଓଡ଼ିଶା ଫେରିଛି ବିଶ୍ୱକପ୍ ଟ୍ରଫି। ଏହି ଟ୍ରଫି ଟୁରରେ ଦେଶର ୧୩ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିବାପରେ ରବିବାର ଭୁବନେଶ୍ୱର ବିମାନବନ୍ଦରରେ ହକି ବିଶ୍ୱକପ ଟ୍ରଫି ପହଁଞ୍ଚିଛି। ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ, ଓଡ଼ିଶାର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ସ୍ଵାଗତ କରିଛନ୍ତି। ବିମାନବନ୍ଦରରୁ ଶଙ୍ଖ, ଘୋଡ଼ା ନାଚ ଶୋଭାଯାତ୍ରାରେ ଟ୍ରଫିକୁ ନିଆଯାଇ ଭୁବନେଶ୍ୱର ସହର ପରିକ୍ରମା କରାଯାଇଛି। ସୋମବାର ଟ୍ରଫିଟି ନୟାଗଡ଼ ଓ ଖୋର୍ଦ୍ଧା ପରିକ୍ରମା କରିବ। ଏହାପରେ ଟ୍ରଫି ରାଜ୍ୟର ସବୁ ଜିଲ୍ଲା ପରିକ୍ରମା କରି ଜାନୁଆରି ୧୧ ତାରିଖରେ କଟକ ଏବଂ ୧୨ ତାରିଖରେ ସୁନ୍ଦଗଗଡ଼ରେ ପହଞ୍ଚିବ। ରାଜ୍ୟ ସରକାର ହକି ବିଶ୍ଵକପକୁ ଲୋକପ୍ରିୟ କରିବା ପାଇଁ ରାଜ୍ୟର ବିଭିନ୍ନ ସହରରେ ବିଶ୍ଵକପ୍ ଟ୍ରଫିର ଶୋଭାଯାତ୍ରା ଆୟୋଜନ କରୁଛନ୍ତି।

ଭୁବନେଶ୍ୱର ସହର ପରିକ୍ରମା ସମୟରେ ବାଇକ ରାଲି ସହ ବିଶ୍ଵକପ୍ ଟ୍ରଫିକୁ ଲିଙ୍ଗରାଜ ମନ୍ଦିର ନିକଟକୁ ନିଆଯାଇଥିଲା। ଏହି ଅବସରରେ ନୃତ୍ୟଶିଳ୍ପୀମନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପୁରୀରୁ ଆସିଥିବା ଶ୍ରୀ ଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟର ଛାତ୍ର ଓ ପଣ୍ଡିତ ବେଦମନ୍ତ୍ର ପାଠ କରିଥିଲେ। ପରେ ଏସପ୍ଲାନେଡ ମଲ, ସୋଆ ବିଶ୍ଵବିଦ୍ୟାଳୟ ଓ ଶେଷରେ କିଟ୍ ବିଶ୍ଵବିଦ୍ୟାଳୟ ପରିକ୍ରମା କରିଥିଲା ଟ୍ରଫି।

ବିମାନବନ୍ଦରରେ ଟ୍ରଫିକୁ ସ୍ଵାଗତ କରିବା ପାଇଁ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ, ଓଡ଼ିଶାର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପରିବେଶ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ଥିଲେ। ହକି ଇଣ୍ଡିଆ ପକ୍ଷରୁ ବିଶ୍ଵକପ୍ ଟ୍ରଫିକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାକୁ ହସ୍ତାନ୍ତର କରାଯାଇଥିଲା

୨୦୨୩ ପୁରଷ ହକି ବିଶ୍ୱକପ୍ ଭୁବନେଶ୍ୱରର କଳିଙ୍ଗ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ୨୦୨୩ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। ହକି ବିଶ୍ୱକପକୁ ସଫଳ ଓ ଲୋକପ୍ରିୟ କରିବା ପାଇଁ ଟ୍ରଫି ପରିକ୍ରମା କରାଯାଉଛି। ଓଡ଼ିଶାରୁ ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ଟ୍ରଫି ଟୁରରେ ବିଶ୍ୱକପ୍ ଟ୍ରଫି କୋଲକାତା, ମଣିପୁରର ଇମ୍ଫାଲ, ଆସାମର ଗୁଆହାଟୀ, ଝାଡ଼ଖଣ୍ଡର ଜାମସେଦପୁର ଓ ରାଞ୍ଚି, ଉତ୍ତର ପ୍ରଦେଶର ଲକ୍ଷ୍ନୌ, ପଞ୍ଜାବର ଅମୃତସର, ରାଜଧାନୀ ନୂଆଦିଲ୍ଲୀ, ହରିୟାଣାର ସୋନିପତ, ଭୋପାଳ, ମୁମ୍ବାଇ, ଚେନ୍ନାଇ, କେରଳର ଥିରୁଭାନନ୍ତପୁରମ, ବେଙ୍ଗାଳୁରୁ ଏବଂ ଅନ୍ୟ କେତେକ ସ୍ଥାନ ଭ୍ରମଣ କରିଥିଲା।

Tags: #Men’sHockeyWorldCup2023 #Trophytour #WoroldcupTrophy #ReachedBhubaneswar#December5 #HockeyIndia #Odisha   #Bhubaneswar #Rourkela

Comment