ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଗୁରୁବାର ଦିନ ଯୁକ୍ତ ୨ ପରୀକ୍ଷାର ଖାତାଦେଖା ଆରମ୍ଭ ହୋଇଛି। ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ଉଭୟ ଅଫଲାଇନ ଓ ଅନଲାଇନରେ ଖାତାଦେଖା ହେଉଛି। ଏହି ପ୍ରଥମ ପର୍ଯ୍ୟାୟ ଖାତାଦେଖା ପାଇଁ ୬,୭୫୭ଜଣ ଅଧ୍ୟାପକ ନିୟୋଜିତ ହୋଇଛନ୍ତି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତବର୍ଷ ଯୁକ୍ତ ୨ ଖାତାଦେଖା ପାଇଁ ଓଡ଼ିଶାରେ ୩୭ଟି ଅନଲାଇନ ଓ ୬୫ଟି ଅଫଲାଇନ‌ କେନ୍ଦ୍ର କରାଯାଇଛି। ଅନଲାଇନରେ ଖାତା ମୂଲ୍ୟାୟନ ପାଇଁ ୨,୮୬୯ ଜଣ ଅଧ୍ୟାପକ ରହିଛନ୍ତି। ସେହିପରି ଅଫଲାଇନ ଖାତାଦେଖାରେ ୩,୮୮୮ ଜଣ ଅଧ୍ୟାପକ ସାମିଲ ହୋଇଛନ୍ତି। ଦିନକୁ ୨ଟି ସିଫ୍ଟରେ ଏହି ଖାତାଦେଖା ହେବ। ପ୍ରଥମ ସିଫ୍ଟ ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୧ଟା ଯାଏଁ ଚାଲିବ ଏବଂ ଦ୍ଵିତୀୟ ସିଫ୍ଟ ଦିନ ୧ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ।

ଯୁକ୍ତ ୨ ଖାତାଦେଖାର ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୨୨ ତାରିଖ ଯାଏଁ ଚାଲିବ। ଏହାପରେ ଏପ୍ରିଲ ୨୩ ତାରିଖରୁ ମେ’ ମାସ ୫ ତାରିଖ ଯାଏଁ ଦ୍ଵିତୀୟ ପର୍ଯ୍ୟାୟ ଖାତାଦେଖା ହେବ। ପୂର୍ବ ବର୍ଷ ଭଳି ୨୦୨୩ ଯୁକ୍ତ ୨ ପରୀକ୍ଷାରେ ୨୦ ପ୍ରତିଶତ ଇଣ୍ଟରନାଲ୍‌‌ ଆସେସମେଣ୍ଟ ନମ୍ବର ବିଚାରକୁ ନେଇ ପିଲାଙ୍କ ପ୍ରତ୍ୟେକ ବିଷୟର ମୂଲ୍ୟାୟନ କରାଯିବ।

୨୦୨୩ର ଯୁକ୍ତ ୨ ପରୀକ୍ଷା ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୫ ତାରିଖ ଯାଏଁ ଚାଲିଥିଲା। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୭ହଜାର ୯୪୨ଜଣ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ।

ଯୁକ୍ତ ୨ କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୩୩ ହଜାର ୮୫୫ଜଣ ରହିଥିଲେ। ସେହିପରି ଯୁକ୍ତ ୨ ବିଜ୍ଞାନରେ ୯୩ ହଜାର ୮୯୪, ବାଣିଜ୍ୟରେ ୨୪ ହଜାର ୩୩୧ ଓ ଧନ୍ଦାମୂଳକ ଶିକ୍ଷାରେ ୫,୮୬୨ଜଣ ଛାତ୍ରଛାତ୍ରୀ ରହିଥିଲେ। ଓଡ଼ିଶାର ୧,୧୪୫ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରଯାଇଥିଲା।

Tags: #Plus2Exam #CopyEvaluation #Students #EvaluationCenters #CHSE

Comment