ଓଡ଼ିଶାଲାଇଭ୍ ବ୍ୟୁରୋ

ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବେ ଶରଦ ପାଓ୍ଵାର। ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିବା ପାଓ୍ଵାର ଶୁକ୍ରବାର ଦିନ ନିଜ ଇସ୍ତଫା ପ୍ରତ୍ୟାହାର କରିନେଇଛନ୍ତି। ଏବେ ପାଓ୍ଵାରଙ୍କ ହାତରେ ହିଁ ରହିବ ଏନସିପିର ପାଓ୍ଵାର।

ମେ’ ୨ ତାରିଖରେ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ଶରଦ ପାଓ୍ଵାର। ପାଓ୍ଵାରଙ୍କ ଏହି ଘୋଷଣା ପରେ ମହାରାଷ୍ଟ୍ରରେ ରାଜନୈତିକ ପାଣିପାଗ ବଦଳି ଯାଇଥିଲା। ଦଳୀୟ ନେତା ଏବଂ ସମର୍ଥକ ଚାହୁଁନଥିଲେ ପାଓ୍ଵାର ନିଜ ପଦବୀ ଛାଡ଼ନ୍ତୁ। ଦଳର ବରିଷ୍ଠ ନେତା ପାଓ୍ଵାରଙ୍କୁ ମନେଇବାକୁ ଲାଗି ପଡ଼ିଥିଲେ।

ପାଓ୍ଵାରଙ୍କ ପରେ କିଏ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ ସମ୍ଭାଳିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପାଓ୍ଵାରଙ୍କ ପୁତୁରା ଅଜିତ ନା ଝିଅ ସୁପ୍ରିଆ ଗାଦିରେ ବସିବେ ତାକୁ ନେଇ ମଧ୍ୟ ଆଲୋଚନା ହେଲା।

ପାଓ୍ଵାରଙ୍କ ଇସ୍ତଫାକୁ ନେଇ ଆଜି ଏନସିପିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଏନସିପି କୋର କମିଟି ପାଓ୍ଵାରଙ୍କ ଇସ୍ତଫାପତ୍ରକୁ ଗ୍ରହଣ କଲା ନାହିଁ। ବୈଠକ ଆରମ୍ଭରୁ ଇସ୍ତଫା ଫେରାଇ ନେବା ଲାଗି ନାରା ଦେଇଥିଲେ ଦଳୀୟ ନେତା ଏବଂ କର୍ମୀ। ଏପରିକି ଜଣେ କର୍ମୀ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

କୋର କମିଟିର ନିଷ୍ପତ୍ତି ପରେ ପାଓ୍ଵାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଥିଲା। ଶେଷରେ ଇସ୍ତଫା ପ୍ରତ୍ୟାହାର କରିନେଇଥିବା ଘୋଷଣା କରିଛନ୍ତି ଶରଦ ପାଓ୍ଵାର। ପାଓ୍ଵାରଙ୍କର ଏହି ଘୋଷଣା ପରେ ଦଳୀୟ ନେତା ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Tags: #Politics #IndianPolitics #NCPChiefSharadPawarResigns #ResignationWithdraw

Comment