ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୁରୀ ଓ କଲିକତାର ହାୱଡା ଷ୍ଟେସନ ମଧ୍ୟରେ ଚାଲିବାକୁଥିବା ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଗୁରୁବାର ଉଦଘାଟନ ହେବ। ପୁରୀ ରେଳ ଷ୍ଟେସନରୁ ଏହି ଟ୍ରେନର ଉଦଘାଟନ କରାଯିବ। ଏନେଇ ଦକ୍ଷିଣ-ପୂର୍ବ ରେଳବାଇ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ଦିନ ହାୱଡା-ପୁରୀ ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଉଦଘାଟନ ହେବାପରେ ମେ’ ୨୦ ତାରିଖରୁ ଏହି ଟ୍ରେନର ନିୟମିତ ସେବା ଆରମ୍ଭ ହେବ। ଏଥିପାଇଁ ବୁଧବାରଠାରୁ ଟିକେଟ ବୁକିଂ ଆରମ୍ଭ ହୋଇଛି।

ଏହି ଟ୍ରେନରେ ‘ଚେୟାର କାର’ର ଟିକେଟ ମୂଲ୍ୟ ୧୫୯୦ ଟଙ୍କା ରଖାଯାଇଛି। ସେହିପରି ‘ଏକ୍ସିକ୍ୟୁଟିଭ ଚେୟାରକାର’ର ଟିକେଟ ମୂଲ୍ୟ ୨୯୦୦ ଟଙ୍କା ରହିଛି। ଆଇଆରସିଟିସି ଆପ କିମ୍ବା ୱେବସାଇଟ ମାଧ୍ୟମରେ ଟ୍ରେନର ଟିକେଟ ବୁକିଂ କରିହେବ।

ଏହି ଟ୍ରେନ ‘ହାୱଡାରୁ ସକାଳ ୬ଟା ୧୦ ବେଳେ ବାହାରି ମଧ୍ୟାହ୍ନ ୧୨ଟା ୩୫ ସମୟରେ ପୁରୀରେ ପହଞ୍ଚିବ। ଏହାପରେ ଦିନ ୧ଟା ୫୦ରେ ପୁରୀରୁ ବାହାରି ରାତି ୮ଟା ୩୦ରେ ହାୱଡାରେ ପହଞ୍ଚିବ। ସପ୍ତାହରେ କେବଳ ଗୁରୁବାର ଛଡ଼ା ଅନ୍ୟ ସବୁଦିନ ଏହି ଟ୍ରେନ ଚଳାଚଳ କରିବ।

ପୁରୀ ଓ ହାୱଡା ମଧ୍ୟରେ ଟ୍ରେନଟି ଖୋର୍ଦ୍ଧା ରୋଡ୍, ଭୁବନେଶ୍ଵର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ଵର ଓ ଖଡ଼ଗପୁର ଷ୍ଟେସନରେ ରହିବ।

ଓଡ଼ିଶାରେ ପ୍ରଥମ କରି ଏହି ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ ଚଳାଚଳ ଆରମ୍ଭ ହେଉଛି। ଭାରତୀୟ ରେଳବାଇର ଦକ୍ଷିଣ-ପୂର୍ବ ଡିଭିଜନ ଅଧୀନରେ ଟ୍ରେନଟି ଚଳାଚଳ କରିବ।

ଏହା ପୂର୍ବରୁ ଏପ୍ରିଲ ୨୮ ତାରିଖରେ ବନ୍ଦେ ଭାରତ ଟ୍ରେନର ପରୀକ୍ଷାମୂଳକ ଭାବେ ଚଳାଚଳ ଆରମ୍ଭ ହୋଇଥିଲା। ଏଥିରେ ଟ୍ରେନର ଗତି, ସମୟସୀମା, ବ୍ରେକ ଓ ଅନ୍ୟାନ୍ୟ ଯନ୍ତ୍ରାଂଶର ଯାଞ୍ଚ କରଯାଇଥିଲା।

Tags: #VandeBharatExpress #Puri-HowrahTrainService #SouthEasternRailway #IRCTC

 

Comment