ଓଡ଼ିଶାଲାଇଭ୍ ବ୍ୟୁରୋ

ଯାତ୍ରୀମାନଙ୍କ ସୁବିଧା ଲାଗି ଇଣ୍ଡିଆନ ରେଲଓ୍ଵେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (IRCTC) ଟିକେଟ୍ ବୁକିଂ ପାଇଁ ନୂଆ ନିୟମ ଲାଗୁ କରିଛି। ଏହି ନିୟମ ଅନୁସାରେ, ଏଣିକି ଟ୍ରେନ୍ ପ୍ଲାଟ୍‌ଫର୍ମ ଛାଡ଼ିବାର ୫ ମିନିଟ୍ ଆଗରୁ ମଧ୍ୟ ସିଟ୍ ବୁକିଂ କରିହେବ। ଏଥିସହ ଟ୍ରେନ୍ ଚାଲିବାର ଅଧ ଘଣ୍ଟା ପୂର୍ବରୁ ଦ୍ଵିତୀୟ ଚାର୍ଟ ପ୍ରସ୍ତୁତ କରାଯିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗତ କିଛି ମାସ ହେବ ଦୁଇ ଘଣ୍ଟା ପୂର୍ବରୁ ଦ୍ଵିତୀୟ ଚାର୍ଟ ପ୍ରସ୍ତୁତ ହେଉଥିଲା।

କରୋନା ସଂକ୍ରମଣ ପୂର୍ବରୁ ଟ୍ରେନ୍ ଯାତ୍ରା କରିବାର ୪ ଘଣ୍ଟା ଆଗରୁ ଆଇଆର୍‌ସିଟିସି ପ୍ରଥମ ଚାର୍ଟ ଜାରି କରୁଥିଲା। ଏହାପରେ ବଳକା ରହୁଥିବା ସିଟ୍‌ ପାଇଁ କାଉଣ୍ଟରରୁ ଟିକେଟ୍ ବୁକିଂ ହେଉଥିଲା। ଏପରିକି ଟ୍ରେନ୍ ଛାଡ଼ିବାର ଅଧ ଘଣ୍ଟା ଆଗରୁ କାଉଣ୍ଟରରୁ ଟିକେଟ୍ ମିଳିଯାଉଥିଲା। ଯାତ୍ରୀମାନେ ଦ୍ଵିତୀୟ ଚାର୍ଟ ଜାରି ହେବା ପୂର୍ବରୁ ଅନ୍‌ଲାଇନ୍ ଟିକେଟ୍ ବୁକିଂ ମଧ୍ୟ କରିପାରୁଥିଲେ।କିନ୍ତୁ ଏବେ ନୂଆ ନିୟମ ଅନୁସାରେ, ଦ୍ଵିତୀୟ ରିଜର୍ଭେସନ ଚାର୍ଟ ଟ୍ରେନ୍ ଯାତ୍ରା କରିବାର ୩୦ ମିନିଟ୍ ପୂର୍ବରୁ ଜାରି ହେବ। ଏପରିକି ଟ୍ରେନ୍ ଛାଡ଼ିବାର ୫ ମିନିଟ୍ ପୂର୍ବରୁ ମଧ୍ୟ ଦ୍ଵିତୀୟ ଚାର୍ଟ ଜାରି ହୋଇପାରିବ। ଏହା ଭିତରେ ଯଦି ଟ୍ରେନ୍ ଟିକେଟ୍ ବାତିଲ ହୋଇଯାଏ ତେବେ ଯାତ୍ରୀ ଟଙ୍କା ଫେରସ୍ତ ପାଇବେ। ଅନ୍ୟପଟେ ଯାତ୍ରାର ୨ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବେ ବୋଲି ରେଳ ବିଭାଗ ନିୟମ କରିଛି।

ଟିକେଟ୍ ବୁକିଂର ଏହି ସବୁ ନୂଆ ନିୟମ ଗତ ଅକ୍ଟୋବର ୧୦ ତାରିଖରୁ ଲାଗୁ ହୋଇସାରିଛି। ତେବେ ଆଇଆର୍‌ସିଟିସିରେ ଅନ୍‌ଲାଇନ୍ ବୁକିଂ ପାଇଁ ଥିବା ଅନ୍ୟ ନିୟମଗୁଡ଼ିକରେ କୌଣସି ପରିବର୍ତ୍ତନ ହୋଇନାହିଁ।ଆଇଆର୍‌ସିଟିସିରେ କେମିତି କରିବେ ଟିକେଟ୍ ବୁକିଂ?

  • https://www.irctc.co.in/nget/train-search କୁ ଯାଇ ନିଜର ଏକ ଆକାଉଣ୍ଟ ବନାନ୍ତୁ ଏବଂ ଲଗ୍‌ଇନ୍ କରନ୍ତୁ।
  • ଏହାପରେ ସ୍କ୍ରିନ୍‌ର ବାମ ପାର୍ଶ୍ଵରେ ଆପଣଙ୍କ ଷ୍ଟେସନ, ଗନ୍ତବ୍ୟ ଷ୍ଟେସନ, ତାରିଖ ଆଦି ଲେଖି କ୍ଲିକ୍ କରନ୍ତୁ।
  • ଏବେ ଆପଣଙ୍କ ସୂଚନା ଆଧାରରେ ବିଭିନ୍ନ ଟ୍ରେନ୍ ବିକଳ୍ପ ଆସିଯିବ। ସେଥିରୁ ଆପଣ କେଉଁ ଟ୍ରେନ୍‌ରେ ଓ କେଉଁ ବଗିରେ ଯିବା ପାଇଁ ଚାହୁଁଛନ୍ତି ତା’ ଉପରେ କ୍ଲିକ୍ କରନ୍ତୁ। ସେଥିରେ ଆପଣଙ୍କୁ ସିଟ୍‌ର ଉପଲବ୍ଧତା ବିଷୟରେ ସୂଚନା ମିଳିଯିବ।
  • ସେଥିରେ ପ୍ରତ୍ୟେକ ତାରିଖ ତଳକୁ Book Now ବିକଳ୍ପ ଥିବ, ତା ଉପରେ କ୍ଲିକ୍ କରନ୍ତୁ।
  • ଏବେ ଏକ ନୂଆ ପେଜ୍ ଖୋଲିଯିବ। ସେଥିରେ ଯାତ୍ରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡ଼ିବ। ତାହାକୁ ଭରି ଦିଅନ୍ତୁ ଏବଂ ଫୋନ୍ ନମ୍ବର ଦେଇ ଏଣ୍ଟର ମାରନ୍ତୁ।
  • ଏବେ ପେମେଣ୍ଟ ପାଇଁ ବିକଳ୍ପ ଆସିଯିବ। ସେଥିରେ ଆପଣ ବ୍ୟାଙ୍କ୍ ଚୟନ କରନ୍ତୁ। ଏହାପରେ କାର୍ଡର ସମ୍ପୂର୍ଣ୍ଣ ବିବରଣୀ ଦେଇ ଅନ୍‌ଲାଇନ୍ ଟ୍ରାଞ୍ଜାକ୍ସନ ପୂରା କରନ୍ତୁ।
  • ଆପଣ ବୁକ୍ କରିଥିବା ଟିକେଟ୍ ଏବେ ସ୍କ୍ରିନ୍‌ରେ ଆସିଯିବ। ଆପଣ ଯେଉଁ ନମ୍ବର ଦେଇଥିରେ ସେଥିରେ ମଧ୍ୟ ଟିକେଟ୍ ବିଷୟରେ ମେସେଜ୍ ଆସିଯିବ।
  • ଆପଣ ନିଜ ଆଇଆର୍‌ସିଟିସି ଆକାଉଣ୍ଟରେ Booked Ticket Historyରେ ମଧ୍ୟ ଟିକେଟ୍ ଦେଖିପାରିବେ।

Comment