ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିରେ ଆହତ ହୋଇଥିବା ଯାତ୍ରୀଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସିଛନ୍ତି। ମଙ୍ଗଳବାର ସେ କଟକ ଏସସିବି ମେଡିକାଲ ଯାଇ ଆହତ ଯାତ୍ରୀଙ୍କୁ ଦେଖାକରିଛନ୍ତି। ସେ ଦୁର୍ଘଟଣା ପରେ ଏବେ ବି ପଶ୍ଚିମବଙ୍ଗର ୩୧ ଜଣ ଯାତ୍ରୀ ନିଖୋଜ ଥିବାର କହିଛନ୍ତି।

ମମତା ବାନାର୍ଜୀ ମଙ୍ଗଳବାର ଦିନ କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟ ପଡ଼ିଆରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ। ସେଠାରୁ ସେ ଏସସିବି ମେଡିକାଲ ଯାଇ ଚିକିତ୍ସାଧୀନ ଯାତ୍ରୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେ ଏଠାରେ ଡାକ୍ତରମାନଙ୍କ ସହ ଅଲୋଚନା କରିଥିଲେ।

“ବାହାନଗା ଟ୍ରେନ ଦୁର୍ଘଟଣାରେ ଅନେକ ମୁଲ୍ୟବାନ ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣାରେ ଏ ଯାଏଁ ପଶ୍ଚିମବଙ୍ଗର ୧୦୩ ଜଣଙ୍କର ମୃତଦେହ ଚିହ୍ନଟ କରାଯାଇଛି। ଏବେ ବି ୩୧ ଜଣ ନିଖୋଜ ଯାତ୍ରୀ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣାରେ ଲୋକଙ୍କ ସହାୟତା କରିବା ପାଇଁ  ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ମିଳିମିଶି କାମ କରୁଛନ୍ତି”, କହିଛନ୍ତି ମମତା ବାନର୍ଜୀ

ସେ ଆହୁରି ମଧ୍ୟ କହିଛନ୍ତି, “ ଏହି ଦୁର୍ଘଟଣାର ଯାଞ୍ଚ ଏବେ ରେଳ ମନ୍ତ୍ରାଳୟ ଓ ସିବିଆଇ ଦ୍ଵାରା କରାଯାଉଛି। ତଦନ୍ତ ପରେ ଏହି ମର୍ମନ୍ତୁଦ ଦୁର୍ଘଟଣାର ସତ ସାମନାକୁ ଆସିବା ଦରକାର। ଦୁର୍ଘଟଣା ପରେ ଯେଉଁଭଳି ସହଯୋଗ ମିଳିଛି ଓ ଉଦ୍ଧାରକାର୍ଯ୍ୟ କରାଯାଇଛି ସେଥିପାଇଁ ଓଡ଼ିଶା ସରକାର, ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଉଛି।”

ସେହିପରି ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ପଶ୍ଚିମବଙ୍ଗର ୯୭ ଜଣ ଯାତ୍ରୀଙ୍କର ଏବେ ଓଡ଼ିଶାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରୁ ୫୮ ଜଣ ଯାତ୍ରୀ ଏବେ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ଵାରା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା, ସାମାନ୍ୟ ଆହତଙ୍କ ପାଇଁ ୨୫ ହଜାର ଟଙ୍କା ଓ ଟ୍ରେନରେ ଯାତ୍ରା କରୁଥିବା ପଶ୍ଚିମବଙ୍ଗର ଯାତ୍ରୀଙ୍କ ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।

ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଏବେ ଦୁର୍ଘଟଣା ସ୍ଥଳରେ ଟ୍ରାକ୍ ମରାମତି କାମ ଶେଷ ହୋଇଥିବାବେଳେ ଉଭୟ ମେନ ଲାଇନରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି।

Tags: #BahanagaTrainTragedy #TrainAccidentinOdisha #TrainMishap #IndianRailway

 

Comment