ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିରେ ଏବେ ମୃତ୍ୟୁ ସଂଖ୍ୟା ପୁଣି ୨୮୮ ଛୁଇଁଛି। ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମୃତକଙ୍କ ସଂଖ୍ୟା ୨୭୫ କୁହାଯାଇଥିବାବେଳେ ବାଲେଶ୍ଵର ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟକୁ ନେଇ ଏବେ ଏହି ସଂଖ୍ୟା ୨୮୮ ବୋଲି ଘୋଷଣା କରାଯାଇଛି। ଏନେଇ ମଙ୍ଗଳବାର ଦିନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

“ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭୫ ବୋଲି କୁହାଯାଇଥିଲା। ଏବେ ବାଲେଶ୍ଵର ଜିଲ୍ଲାପାଳ ମୃତକଙ୍କ ଗଣତି କରି ଏହା ଉପରେ ଚୂଡ଼ାନ୍ତ ରିପୋର୍ଟ ଦେଇଛନ୍ତି। ଏହି ଆଧାରରେ ଏବେ ମୃତ୍ୟୁ ସଂଖ୍ୟା ୨୮୮ ରହିଛି। ଏବେ ଏମାନଙ୍କ ମଧ୍ୟରୁ ୨୦୫ଟି ଶବକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଆଉ ୮୩ଟି ମୃତ ଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ଡିଏନଏ ଟେଷ୍ଟିଂ ଆରମ୍ଭ ହୋଇଛି”, କହିଛନ୍ତି ପ୍ରଦୀପ କୁମାର ଜେନା।

ସେ ଆହୁରି ମଧ୍ୟ କହିଛନ୍ତି, “ଏହପୂର୍ବରୁ ବାଲେଶ୍ଵର ମେଡିକାଲରୁ ୯୪ଟି ଓ ଭଦ୍ରକ ମେଡିକାଲରୁ ଜଣକ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରଯାଇଥିଲା। ବାଲେଶ୍ଵରରୁ ଭୁବନେଶ୍ଵରକୁ ୧୯୩ଟି ଶବ ଆସିଥିଲା। ଏଥିରୁ ୧୧୦ଟି ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୁବନେଶ୍ଵରରେ ଥିବା ଶବଗୁଡ଼ିକର ଡିଏନଏ ନମୁନା ସଂଗ୍ରହ କରି ରଖାଯାଇଛି।”

ବାହାନଗା ଦୁର୍ଘଟଣା ପରେ ଶନିବାର ଦିନ ରାଜ୍ୟ ସରକାର ମୃତକଙ୍କ ସଂଖ୍ୟା ୨୮୮ ବୋଲି କହିଥିଲେ। ଏହାପରେ ରବିବାର ଦିନ ମୁଖ୍ୟ ଶାସନ ସଚିବ ଏହି ସଂଖ୍ୟା ୨୭୫ ବୋଲି କହିଥିଲେ। କେତେକ ମୃତ ଦେହର ଦୁଇଥର ଗଣତି ହୋଇଥିବାରୁ ମୃତ୍ୟୁ ସଂଖ୍ୟାରେ ଭୁଲ ହୋଇଥିଲା ବୋଲି କୁହାଯାଇଥିଲା। ଏବେ ପୁଣି ଏହି ସଂଖ୍ୟା ୨୮୮ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ  ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଏବେ ଦୁର୍ଘଟଣା ସ୍ଥଳରେ ଟ୍ରାକ୍ ମରାମତି କାମ ଶେଷ ହୋଇଥିବାବେଳେ ଉଭୟ ମେନ ଲାଇନରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି।

Tags: #BahanagaTrainTragedy #TrainAccidentinOdisha #TrainMishap #IndianRailway

 

Comment