ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିର ତଦନ୍ତ ଆରମ୍ଭ କରିଛି ସିବିଆଇ। ମଙ୍ଗଳବାର ସକାଳେ ସିବିଆଇର ୧୦ ଜଣିଆ ଟିମ୍ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଛନ୍ତି। ସିବିଆଇ ପକ୍ଷରୁ ଘଟଣାର ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରାଯାଉଛି। ଏନେଇ ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି।

ବାହାନଗା ରେଳ ଦୁର୍ଘଟଣାର ଯାଞ୍ଚ ପାଇଁ ସିବିଆଇର ୧୦ ଜଣିଆ ଟିମ୍ ସୋମବାର ରାତିରେ ବାଲେଶ୍ଵରରେ ପହଞ୍ଚିଥିଲେ। ମଙ୍ଗଳବାର ସକାଳୁ ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ସେମାନେ ବାହାନଗା ଷ୍ଟେସନର ସିଗନାଲିଂ ରୁମ ବୁଲିବା ସହ ଷ୍ଟେସନମାଷ୍ଟରଙ୍କୁ ଘଟଣା ବିଷୟରେ ପଚରାଉଚରା କରିଥିଲେ।

“ବାହାନଗା ଦୁର୍ଘଟଣାରେ ସବୁ ଦିଗକୁ ନେଇ ଯାଞ୍ଚ କରାଯିବ। ପୂର୍ବର ରେଲୱେ ସେଫ୍ଟି କମିଶନର ଏହାର ଯାଞ୍ଚ ଚାଲୁରଖିଥିବା ଏବେ ସିବିଆଇ ମଧ୍ୟ ଏଥିରେ ତଦନ୍ତ ଆରମ୍ଭ କରିଛି। ସିବିଆଇର ତଦନ୍ତରେ ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯାଉଛି। ସିବିଆଇର ଅଧିକାରୀମନେ ଷ୍ଟେସନ ମାଷ୍ଟର, ସିଗନାଲ୍ ଅପରେଟର ଓ ଅନ୍ୟ କର୍ମଚାରୀଙ୍କୁ ଘଟଣା ବାବଦରେ ପଚରାଉଚରା କରିବେ”, କହିଛନ୍ତି ଆଦିତ୍ୟ କୁମାର ଚୌଧୁରୀ।

ସିବିଆଇ ଏବେ ନିଜର ଫରେନସିକ ଟିମ୍ ମାଧ୍ୟମରେ ଘଟଣାସ୍ଥଳରୁ ତଥ୍ୟ ସଂଗ୍ରହ କରୁଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଥିଲା? ଏହା ପଛରେ ଅପରାଧିକ ଷଡଯନ୍ତ୍ର ରହିଛି କି? ପ୍ରଥମେ ଏସବୁର ଯାଞ୍ଚ କରିବା ପରେ ସିବିଆଇ ମାମଲା ରୁଜୁ କରିବ ବୋଲି ସୂଚନା ମିଳିଛି।

ଅନ୍ୟପଟେ ରେଲୱେ ସେଫ୍ଟି କମିଶନରଙ୍କ ଯାଞ୍ଚରେ ବାହାନଗା ଷ୍ଟେସନ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଅଧିକ ପଚରାଉଚରା ପାଇଁ ଷ୍ଟେସନ ମାଷ୍ଟର, ସିଗ୍‌ନାଲ୍‌ ଇଞ୍ଜିନିୟର, ଆସିଷ୍ଟାଣ୍ଟ ‌ଷ୍ଟେସନ ମାଷ୍ଟରଙ୍କ ସମେତ ପ୍ରାୟ ୧୦ରୁ ଅଧିକ କର୍ମଚାରୀଙ୍କୁ ଖଡଗପୁରସ୍ଥିତ ଡିଭିଜନ କାର୍ଯ୍ୟାଳୟକୁ ଡକାଯାଇଛି।

ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଏବେ ଦୁର୍ଘଟଣା ସ୍ଥଳରେ ଟ୍ରାକ୍ ମରାମତି କାମ ଶେଷ ହୋଇଥିବାବେଳେ ଉଭୟ ମେନ ଲାଇନରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି।

Tags: #BahanagaTrainTragedy #TrainAccidentinOdisha #TrainMishap #CBIInvestigation #IndianRailway

 

Comment