ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ବାହାନଗା ରେଳ ଦୁର୍ଘଟଣାର ଆହତ ହୋଇଥିବା ଯାତ୍ରୀମାନଙ୍କୁ ଭେଟିଛନ୍ତି। ସେ ବାଲେଶ୍ଵର ଡାକ୍ତରଖାନାକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା କେମିତି ଦିଆଯାଉଛି ସେ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ।

ପ୍ରଧାନମନ୍ତ୍ରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଯାତ୍ରୀଙ୍କ ସହ ସେମାନଙ୍କ ସ୍ଵାସ୍ଥ୍ୟ ବିଷୟରେ କଥାବର୍ତ୍ତା କରିଥିଲେ। ସେମାନେ କେଉଁଠୁ ଆସୁଥିଲେ, କୁଆଡ଼େ ଯାଉଥିଲେ ଓ ଚିକିତ୍ସା କିପରି ଚାଲିଛି ଆଦି ପଚାରି ବୁଝିଥିଲେ।

“ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟୀ। ଏଥିରେ ବିଭିନ୍ନ ରାଜ୍ୟର ଲୋକ ମୃତାହତ ହୋଇଛନ୍ତି। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି। ଆହତମାନଙ୍କ ଚିକିତ୍ସା ପାଇଁ ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସବୁ  ପ୍ରକାର ପଦକ୍ଷେପ ନିଆଯାଉଛି”, କହିଛନ୍ତି ନରେନ୍ଦ୍ର ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି, “ ସରକାର ଏହି ଦୁର୍ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି। ଏହାର ଯାଞ୍ଚ ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି।  ଏଥିରେ ଦୋଷୀ ଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଦୁର୍ଘଟଣା ପରେ ଓଡ଼ିଶା ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତାହା ଉଲ୍ଲେଖନୀୟ। ଏଠାକାର ସ୍ଥାନୀୟ ଲୋକମାନେ ମଧ୍ୟ ରାତି ସାରା ଆହତ ଲୋକମାନଙ୍କ ଉଦ୍ଧାରରେ ସହଯୋଗ କରିଥିଲେ। ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।”

ପ୍ରଧାନମନ୍ତ୍ରୀ ଏଠାରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ସହ ଫୋନରେ କଥାବର୍ତ୍ତା କରିଥିଲେ। ଆହତମାନଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ସୁବିଧା ଯୋଗାଇଦେବା ପାଇଁ ତାଙ୍କୁ ନିର୍ଦେଶ ଦେଇଥିଲେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଏଠାରେ ରେଳ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ବାଲେଶ୍ଵର ଡାକ୍ତରଖାନାରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ଟ୍ରାକ୍ ମରାମତି କାମ ଆରମ୍ଭ ହୋଇଛି।

Tags: #BahanagaTrainTragedy #TrainAccidentinodisha #TrainMishap #IndianRailway

Comment