ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କ ଚିକିତ୍ସା ବିଷୟରେ ସମୀକ୍ଷା କରିବା ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ରବିବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ରବିବାର ଦିନ ଭୁବନେଶ୍ଵର ଏମ୍ସରେ ବରିଷ୍ଠ ଡାକ୍ତର ଓ ଅଧିକାରୀଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି। ଏହାପରେ ସେ କ୍ୟାପିଟାଲ ହସ୍ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

“ବାହାନଗାର ଭୟଙ୍କର ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ଵ ଦିଆଯାଉଛି। ଏବେ ୧୦୦ରୁ ଅଧିକ ବ୍ୟକ୍ତି ଗୁରୁତର ଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକ ପଡ଼ୁଛି। ଏଥିପାଇଁ ଦିଲ୍ଲୀର ଏମ୍ସ, ଲେଡି ହାର୍ଡିଙ୍ଗେ ହସ୍ପିଟାଲ ଓ ରାମ ମନୋହର ଲୋହିଆ ହସ୍ପିଟାଲର ୧୭ ଜଣିଆ ବିଶେଷଜ୍ଞ ଡାକ୍ତରମାନେ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ଅତ୍ୟାବଶ୍ୟକ ଔଷଧ ସହ ଓଡ଼ିଶା ଆସିଛନ୍ତି”, କହିଛନ୍ତି ମନସୁଖ ମାଣ୍ଡଭିୟ।

ସେ ଆହୁରି ମଧ୍ୟ କହିଛନ୍ତି, “ଆହତଙ୍କ ଚିକିତ୍ସା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଇଛି। ଅନେକ ରୋଗୀ ଏବେ ବାଲେଶ୍ଵର, ଭଦ୍ରକ ଓ କଟକ ମେଡିକାଲରେ ଅଛନ୍ତି, ତେଣୁ ଆବଶ୍ୟକତା ଅନୁସାରେ ସେମାନଙ୍କୁ ଏମ୍ସ ଓ କଟକ ମେଡିକାଲକୁ ସ୍ଥାନାନ୍ତର କରାଯିବ।”

 

କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଭୁବନେଶ୍ୱର ଏମ୍ସରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକବେଳେ ମୃତଦେହଗୁଡ଼ିକୁ କିଭଳି ସଂରକ୍ଷିତ କରି ରଖିହେବ ଏବଂ ସେଗୁଡ଼ିକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ମନସୁଖ ମାଣ୍ଡଭିୟ ରବିବାର ଅପରାହ୍ଣରେ କଟକ ବଡ଼ ମେଡିକାଲ ଯିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ସେ ଚିକିତ୍ସାଧୀନ ଥିବା ଆହତ ଯାତ୍ରୀମାନଙ୍କୁ ଭେଟିବେ।

Tags: #BahanagaTrainTragedy #TrainAccidentinOdisha #TrainMishap #IndianRailway

Comment