ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି।  ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଯାତ୍ରୀମାନଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ସବୁ ପଦକ୍ଷେପ ନେଉଥିବା, ସେ ପ୍ରାଧନମନ୍ତ୍ରୀଙ୍କୁ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଦୁର୍ଘଟଣା ପରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

“ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କର ଓଡ଼ିଶାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ଆହତମାନଙ୍କ ଜୀବନ ରକ୍ଷା କରିବା ଲାଗି ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ଉଦ୍ୟମ ଜାରି ରଖିଛନ୍ତି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଆହତମାନଙ୍କୁ ରକ୍ତ ଦେବାପାଇଁ ସାଧାରଣ ଲୋକମାନେ ମଧ୍ୟ ଆଗେଇ ଆସିଛନ୍ତି”, କହିଛନ୍ତି ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ବାହାନଗା ଦୁର୍ଘଟଣାରେ ଆହତ ହୋଇଥିବା ୧୧୭୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୭୩୯ ଜଣଙ୍କୁ ଡାକ୍ତରଖାନାରୁ ‘ଡିସ୍‌ଚାର୍ଜ’ କରାଯାଇଛି। ଅଧିକାଂଶ ଆହତଯାତ୍ରୀଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏବେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ୩୮୨ ଜଣ ଯାତ୍ରୀ ଚିକିତ୍ସାଧୀନ ଅଛନ୍ତି।”

ବାହାନଗା ଦୁର୍ଘଟଣା ପରେ ଓଡ଼ିଶା ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚିଥିବା କଥା ପ୍ରଧାନମନ୍ତ୍ରୀ କହିଥିଲେ। ଏଥିପାଇଁ ସେ ରାଜ୍ୟ ସରକାରଙ୍କ ପ୍ରଶଂସା କରିଥିଲେ। କେନ୍ଦ୍ର ସରସକାରଙ୍କ ପକ୍ଷରୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଏବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ଟ୍ରାକ୍ ମରାମତି କାମ ଜାରି ରହିଛି।

Tags: #BahanagaTrainTragedy #TrainAccidentinOdisha #TrainMishap #IndianRailway

Comment