ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରେଳଧାରଣାର ବୈଦୁତିକ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଭୟଙ୍କର ଟ୍ରେନ ଟ୍ରାଜେଡି ହୋଇଥିଲା। ଦୁର୍ଘଟଣା ତଦନ୍ତ କରୁଥିବା ରେଳ ସୁରକ୍ଷା କମିଶନରଙ୍କର ପ୍ରାଥମିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏନେଇ ରବିବାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

“ରେଳ ସୁରକ୍ଷା କମିଶନରଙ୍କର ତଦନ୍ତରେ ବାହାନଗା ଦୁର୍ଘଟଣାର ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଟ୍ରାକ୍ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ କରମଣ୍ଡଳ ଏକ୍ସପ୍ରେସ ମାଲଗାଡ଼ିକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଏବେ ପ୍ରାଥମିକ ରିପୋର୍ଟରୁ ଏହା ଜନପଡ଼ିଥିବାବେଳେ ଆଗକୁ ତଦନ୍ତ ସାରି କମିଶନର ରେଳ ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବେ”, କହିଛନ୍ତି ଅଶ୍ଵିନୀ ବୈଷ୍ଣବ।

ରେଳଧାରଣାର ବୈଦୁତିକ ଇଣ୍ଟରଲକିଂ ସିଷ୍ଟମ ମାଧ୍ୟମରେ ଟ୍ରେନ ଗୋଟିଏ ଟ୍ରାକରୁ ଆଉ ଗୋଟେ ଟ୍ରାକକୁ ଯାଇଥାଏ। ବାହାନଗା ଦୁର୍ଘଟଣା ପୂର୍ବରୁ ମେନ ଲାଇନରୁ ସମ୍ପୃକ୍ତ ମାଲଗାଡ଼ିକୁ ଲୁପ ଲାଇନରେ ଠିଆ କରାଯାଇ କରମଣ୍ଡଳ ଏକ୍ସପ୍ରେସକୁ ରାସ୍ତା ଦିଆଯାଇଥିଲା, ହେଲେ ଟ୍ରାକ୍ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ପାଇଁ କରମଣ୍ଡଳ ଏକ୍ସପ୍ରେସ ମେନ ଲାଇନରେ ନଯାଇ ଲୁପ ଲାଇନକୁ ଚାଲି ଯାଇଥିଲା। ଏହାପରେ ମାଲଗାଡ଼ି ସହ ଯାଇ ଧକ୍କା ହୋଇଥିଲା।

ତେବେ କେଉଁ ଆଧାରରେ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ହୋଇଥିଲା ତାହା ସମ୍ପୂର୍ଣ୍ଣ ତଦନ୍ତପରେ ଜଣାପଡ଼ିବ। ଏହାଛଡ଼ା ଦୁର୍ଘଟଣାର ଅନ୍ୟ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି। ଏହାପୂର୍ବରୁ ସିଗନାଲ ଫେଲ ମାରିବାରୁ ଦୁର୍ଘଟଣା ଘଟିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଏବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ଟ୍ରାକ୍ ମରାମତି କାମ ଜାରି ରହିଛି।

Tags: #BahanagaTrainTragedy #TrainAccidentinOdisha #TrainMishap #IndianRailway

 

Comment