ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ରେଳ ଦୁର୍ଘଟଣା ପରେ ଏବେ ଆଣ୍ଟି କୋଲିଜନ ସିଷ୍ଟମ ‘କବଚ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନଗୁଡ଼ିକରେ ‘କବଚ’ ସିଷ୍ଟମ କାହିଁକି ଲଗାଯାଇନଥିଲା ବୋଲି ବିରୋଧୀମାନେ ପ୍ରଶ୍ନ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଅନ୍ୟପଟେ ବାହାନଗା ଦୁର୍ଘଟଣାର ‘କବଚ’ ସହ କୌଣସି ସମ୍ପର୍କ ନଥିବା ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଛି।

ଏବେ ଏହି ‘କବଚ’କୁ ନେଇ ଲୋକଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ଏହି ଆଣ୍ଟି କୋଲିଜନ ସିଷ୍ଟମ ଦ୍ଵାରା କ’ଣ ଶତାଧିକ ଲୋକଙ୍କ ଜୀବନ ବଞ୍ଚି ପାରିଥାନ୍ତା? ଲୋକେ ଅଲୋଚନା କରୁଛନ୍ତି।

ରେଳ ବିଭାଗର କହିବା ମୁତାବିକ ବାହାନଗା ରେଳ ଦୁର୍ଘଟଣା ଟ୍ରାକ୍ ଇଣ୍ଟରଲକିଂ ଓ ସିଗନାଲିଂ ସିଷ୍ଟମର ତ୍ରୁଟି ଯୋଗୁଁ ହୋଇଛି। ‘କବଚ’ ସହ ଏହାର କୌଣସି ସମ୍ପର୍କ ନାହିଁ। କରମଣ୍ଡଳ ଏକ୍ସପ୍ରେସ ଅଚାନକ ନିଜ ଟ୍ରାକ୍ ପରିବର୍ତ୍ତନ କରି ଲୁପ ଲାଇନରେ ଥିବା ମାଲଗାଡ଼ିକୁ ଧକ୍କା ଦେବାରୁ ଏହି  ଦୁର୍ଘଟଣା ଘଟିଥିଲା।

“ବାହାନଗା ରେଳ ଦୁର୍ଘଟଣାରେ ଖୁବ କମ୍ ସମୟ ମଧ୍ୟରେ ସବୁକିଛି ଘଟିଥିଲା। ଦୁଇଟି ଯାକ ଟ୍ରେନ ପ୍ରାୟ ୧୩୦ କିଲୋମିଟର ବେଗରେ ଗତି କରୁଥିଲେ। ଏତେ ବେଗରେ ଗତି କରୁଥିବା କୌଣସି ଟ୍ରେନ ସାମନାରେ ଯଦି ଅଚାନକ କିଛି ଅବରୋଧ ଆସିଯାଏ, ତେବେ ଦୁନିଆର ଅତ୍ୟାଧୁନିକ ସିଷ୍ଟମ ମଧ୍ୟ ଏହାକୁ ରୋକି ପାରିବ ନାହିଁ। ବାହାନଗା ରେଳ ଦୁର୍ଘଟଣାରେ ମଧ୍ୟ ଏହିଭଳି ହୋଇଥିଲା”, କହିଛନ୍ତି ରେଳବାଇ ବୋର୍ଡର ସଦସ୍ୟ ଜୟା ବର୍ମା ସିହ୍ନା।

‘କବଚ’ ସିଷ୍ଟମ କ’ଣ ?

ରେଳ ବିଭାଗର ସୂଚନା ଅନୁସାରେ ‘କବଚ’ ଆଣ୍ଟି କୋଲିଜନ ସିଷ୍ଟମ ହେଉଛି ଏକ୍ ଇଲେକ୍ଟ୍ରୋନିକ ଡିଭାଇସ, ଯାହା ଗୋଟିଏ ଲାଇନରେ ମଧ୍ୟରେ ୨ଟି ଟ୍ରେନ ମୁହାଁମୁହିଁ ହେଲେ କିମ୍ବା ଆଗ ପଛ ରହିଲେ ଏହା ଟ୍ରେନକୁ ଆପେ ରୋକିଥାଏ। ଏହା ୩ କିଲୋମିଟର ପରିଧିରେ କାମ କରିଥାଏ। ଏହି ମେସିନକୁ ଟ୍ରେନ୍‌ର ଇଞ୍ଜିନ ଓ ପଛ ଡବାରେ ଖଞ୍ଜାଯାଇଥାଏ। ଏହାଛଡ଼ା ରେଳ ଲାଇନରେ ମଧ୍ୟ ‘କବଚ’ର କିଛି ଯନ୍ତ୍ରାଂଶ ଲଗାଯାଇଥାଏ।

ଏହି ‘କବଚ’ ସିଷ୍ଟମ ସାଟେଲାଇଟ ଦ୍ଵାରା ପରିଚାଳିତ ହୋଇଥାଏ। ଏହା ହାଇ ଫ୍ରିକ୍ଵେନ୍ସି ରେଡିଓ ସିଗନାଲ୍ ମାଧ୍ୟମରେ ଚାଳକଙ୍କୁ ଟ୍ରେନ୍‌ର ସ୍ଥିତି, ବେଗ ଏବଂ ଅନ୍ୟାନ୍ୟ ବିଷୟରେ ଲଗାତାର ସୂଚନା ଦେଇଥାଏ। ଯଦି ଟ୍ରେନ ଉପରୁ ଚାଳକର କଣ୍ଟ୍ରୋଲ ହଟି ଯାଏ ବା ଟ୍ରେନ ସିଗନାଲ୍ ନମାନି କଣ୍ଟ୍ରୋଲ ହରାଏ, ତେବେ ‘କବଚ’ ସିଷ୍ଟମ  ଚାଲୁ ହୋଇ ଟ୍ରେନରେ ଆପେ ଆପେ ବ୍ରେକ ଲଗାଇଥାଏ।

ଭାରତରେ ଶୀତ ଦିନେ କୁହୁଡ଼ି ସମସ୍ୟା ଯୋଗୁଁ ଅନେକ ଟ୍ରେନ ଚାଳକଙ୍କୁ ଆଗରେ କିଛି ଦେଖା ଯାଏ ନାହିଁ। ଏଥିପାଇଁ ଅନେକ ଦୁର୍ଘଟଣା ହୁଏ। ‘କବଚ’ ସିଷ୍ଟମ ଦ୍ଵାରା ଏଗୁଡ଼ିକୁ ଦୂର କରାଯାଇପାରିବ।

ଏହି ଆଣ୍ଟି କୋଲିଜନ ସିଷ୍ଟମ ‘କବଚ’କୁ ରେଳ ବିଭାଗର ରିସର୍ଚ୍ଚ ଡିଜାଇନ ଆଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ (ଆରଡିଏସଓ) ଦ୍ଵାରା ବିକଶିତ କରାଯାଇଛି। ୨୦୨୨ ମାର୍ଚ୍ଚ ମାସରେ ନିଜେ ରେଳ ମନ୍ତ୍ରୀ ଏକ ଇଞ୍ଜିନରେ ଏହାର ପରୀକ୍ଷଣ କରିଥିଲେ।

ଅନ୍ୟପଟେ ଏବେ ଭାରତୀୟ ରେଳବାଇର ସମ୍ପୂର୍ଣ୍ଣ ନେଟୱାର୍କରେ ମାତ୍ର ୨ ହଜାର କିଲୋମିଟର ଟ୍ରାକରେ ‘କବଚ’ ସିଷ୍ଟମ କାର୍ଯ୍ୟକାରୀ ହୋଇଛି। ବର୍ଷକୁ ୫ ହଜାର କିଲୋମିଟର ରେଳଲାଇନରେ ଏହି କଭଚ ସିଷ୍ଟମ ଲଗାଯିବ ବୋଲି ୨୦୨୨ ମସିହାରେ ରେଳ ମନ୍ତ୍ରୀ କହିଥିଲେ।

Tags: #BahanagaTrainTragedy #TrainAccidentinOdisha #TrainMishap #KAVACHSystem #IndianRailway

Comment