ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିରେ ମୃତକଙ୍କ ସଂଖ୍ୟାକୁ ନେଇ ରାଜ୍ୟ ସରକାର ନୂଆ ତଥ୍ୟ ଦେଇଛନ୍ତି। ଏହି ଦୁର୍ଘଟଣାରେ ମୋଟ ୨୭୫ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି। କେତେକ ମୃତ ଦେହର ଦୁଇଥର ଗଣତି ହୋଇଯାଇଥିବାରୁ ଶନିବାର ମୃତ୍ୟୁ ସଂଖ୍ୟା ୨୮୮ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

“ବାହାନଗା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟାକୁ ନେଇ ବାଲେଶ୍ଵର ଜିଲ୍ଲାପାଳ ଚୂଡ଼ାନ୍ତ ରିପୋର୍ଟ ଦେଇଛନ୍ତି। ଏବେ ମୃତ୍ୟୁ ସଂଖ୍ୟା ୨୭୫ ରହିଛି। ଏଥିମଧ୍ୟରୁ ୭୮ ମୃତଦେହକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଆଉ ୧୦ଟି ମୃତଦେହ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ହସ୍ତାନ୍ତର ହେବ। ବାକି ୧୮୭ଟି ମୃତଦେହକୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି”, କହିଛନ୍ତି ପ୍ରଦୀପ କୁମାର ଜେନା।

ସେ ଆହୁରି ମଧ୍ୟ କହିଛନ୍ତି, “ମୃତଦେହ ଚିହ୍ନଟ ଓ ଗ୍ରହଣ ପାଇଁ ରାଜ୍ୟ ସରକାର ଟ୍ରୋଲ ଫ୍ରି ନମ୍ବର ୧୮୦୦୩୪୫୦୦୬୧ ଜାରି କରାଯାଇଛି। ଆମର ଅଫିସରମାନେ ମୃତକଙ୍କ ପରିବାର ବର୍ଗଙ୍କୁ ସାହାଯ୍ୟ କରିବେ। ରାଜ୍ୟ ସରକାର ନିଜ ଖର୍ଚ୍ଚରେ ମୃତଦେହକୁ ଗନ୍ତବ୍ୟ ସ୍ଥଳକୁ ପଠାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି।”

ବାହାନଗା ଦୁର୍ଘଟଣାରେ ମୋଟ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୩୮୨ ଜଣ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ୭୩୯ ଜଣ ଆହତଙ୍କୁ ଚିକିତ୍ସାପରେ ଡାକ୍ତରଖାନାରୁ ‘ଡିସ୍‌ଚାର୍ଜ’ କରାଯାଇଛି।

ସେହିପରି କଟକ ବଡ଼ ଡ଼ାକ୍ତରଖାନାର ଜେନେରାଲ ୱାର୍ଡ଼ରେ ୧୮୦ ଜଣ ଆହତ ଚିକିତ୍ସିତ ହେଉଥିବାବେଳେ ୬ ଜଣ ଆଇସିୟୁରେ ଅଛନ୍ତି। ବାଲେଶ୍ଵର ଡାକ୍ତରଖାନରେ ମଧ୍ୟ ୫୭ ଜଣ ଆହତ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ ଆହତଙ୍କ ଭୁବନେଶ୍ଵରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି।

Tags: #BahanagaTrainTragedy #TrainAccidentinOdisha #TrainMishap #IndianRailway

Comment