ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ରେଳ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସୋମବାର ବାହାନଗା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ରେଲୱେ ସେଫ୍ଟି କମିଶନର ଶୈଳେଶ ପାଠକ। ସେ ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୋମବାର ସକାଳେ ଶୈଳେଶ ପାଠକ ବାହାନଗା ରେଳ ଷ୍ଟେସନକୁ ଯାଇଥିଲେ। ଷ୍ଟେସନରେ ସେ ସିଗନାଲ ରୁମ୍‌ ସହ କଣ୍ଟ୍ରୋଲ ରୁମ୍‌ ବୁଲି ଦେଖିଥିଲେ। ଏହି ସମୟରେ ସେ ଷ୍ଟେସନରେ କାର୍ଯ୍ୟରାତ କର୍ମଚାରୀଙ୍କ ସହ ଦୁର୍ଘଟଣା ସମ୍ପର୍କରେ କଥା ହୋଇଥିଲେ।

“ଏବେ ଭାରତୀୟ ରେଳବାଇ ପକ୍ଷରୁ ବାହାନଗା ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଏଥିରେ ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ସବୁ ପ୍ରକାର ସହଯୋଗ କରୁଛି। ଏବେ ପ୍ରାରମ୍ଭିକ ତଦନ୍ତ ଜାରି ଥିବାବେଳେ ଆଗକୁ ଏହି ଘଟଣାର ବିସ୍ତୃତ ରିପୋର୍ଟ ଆମେ ରେଳ ମନ୍ତ୍ରାଳୟକୁ ଦେବୁ। ଏହି ରିପୋର୍ଟ ପାଇଁ କିଛି ସମୟ ଲାଗିବ କିନ୍ତୁ ଏହି ତଦନ୍ତ ପରେ ଦୁର୍ଘଟଣାର ସ୍ପଷ୍ଟ କାରଣ ଜଣାପଡ଼ିବ”, କହିଛନ୍ତି ଶୈଳେଶ ପାଠକ।

ଅନ୍ୟପଟେ ସିଗନାଲିଂ ଓ ଇଲେକ୍ଟ୍ରୋନିକ ସିଷ୍ଟମରେ ତ୍ରୁଟି ଯୋଗୁଁ ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ରବିବାର ଦିନ ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଥିଲା।

ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୧୭୫ର ଯାତ୍ରୀ ଆହତ ହୋଇଥିଲେ। ଏବେ ଦୁର୍ଘଟଣାସ୍ଥଳରେ ଟ୍ରାକ୍ ମରାମତି କାମ ଶେଷ ହୋଇଥିବାବେଳେ ଉଭୟ ମେନ ଲାଇନରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି।

Tags: #BahanagaTrainTragedy #TrainAccidentinOdisha #TrainMishap #IndianRailway

 

Comment