ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିରେ ଆହତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସର ଡ୍ରାଇଭରଙ୍କ ବୟାନ ରେକର୍ଡ କରାଯାଇଛି। ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଟ୍ରେନର ଉଭୟ ଲୋକୋ ପାଇଲଟ ଓ ଗାର୍ଡ ବୟାନ ଦେଇଛନ୍ତି। ବୟାନରେ ସେମାନେ ଦୁର୍ଘଟଣା କେମିତି ହୋଇଥିଲା ତାହା ବର୍ଣ୍ଣନା କରିଛନ୍ତି। ଏନେଇ ସୋମବାର ଦିନ ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ (ସିପିଆରଓ) ଆଦିତ୍ୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି।

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଦିନ ନିଜର ନିର୍ଦ୍ଧାରିତ ବେଗରେ ଯାଉଥିଲା। ଟ୍ରେନକୁ ମେନ ଲାଇନରେ ଯିବାକୁ ଗ୍ରୀନ ସିଗନାଲ୍ ମିଳିଥିଲା। ଟ୍ରେନଟି ଅଚାନକ ମେନ ଲାଇନରୁ ଲୁପ୍ ଲାଇନକୁ ଯାଇ ଠିଆ ହୋଇଥିବା ମାଲଗାଡ଼ି ସହ ଧକ୍କା ହୋଇଥିଲା। ଏ ସବୁ ଏତେ ଶୀଘ୍ର ହୋଇଥିଲା କି କିଛି କରିବାକୁ ମଉକା ମିଳିଲାନଥିଲା ବୋଲି ଗୁଣନିଧି ମହାନ୍ତି ବୟାନ ଦେଇଥିବା ସିପିଆରଓ କହିଛନ୍ତି।

ତେବେ କରମଣ୍ଡଳ ଏକ୍ସପ୍ରେସକୁ ଯଦି ମେନ ଲାଇନରେ ଯିବାକୁ ଗ୍ରୀନ ସିଗନାଲ୍ ମିଳିଥିଲା ତେବେ ଟ୍ରେନଟି କେଉଁ ପରିସ୍ଥିତିରେ ଶେଷ ମୂହୁର୍ତ୍ତରେ ଲୁପ୍ ଲାଇନକୁ ଗଲା ତାହା ଏ ଯାଏଁ ସ୍ପଷ୍ଟ ହୋଇନି।

ବାହାନଗା ଦୁର୍ଘଟଣାରେ ଆହତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରୀ ବେହେରା ଏବେ ଭୁବନେଶ୍ଵର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଏବେ ଗୁଣନିଧି ମହାନ୍ତିଙ୍କୁ ଏମ୍ସର ଆଇସିୟୁରୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ହଜାରୀ ବେହେରା ଏବେ ବି ଆଇସିୟୁରେ ରହିଛନ୍ତି।

ବାହାନଗା ଷ୍ଟେସନରେ କାର୍ଯ୍ୟରତ ଷ୍ଟେସନର ମେଣ୍ଟେନର, ପଏଣ୍ଟସ୍ ମ୍ୟାନଙ୍କ ବୟାନ ରେକର୍ଡ ହୋଇଛି। ବର୍ତ୍ତମାନ ପ୍ରାରମ୍ଭିକ ତଦନ୍ତ ପାଇଁ ଡ୍ରାଇଭରଙ୍କ ବୟାନ ରେକର୍ଡ ହୋଇଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ହେଲେ ଆଉଥରେ ବିସ୍ତୃତ ବୟାନ ନିଆଯିବ।

ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଏବେ ଦୁର୍ଘଟଣାସ୍ଥଳରେ ଟ୍ରାକ୍ ମରାମତି କାମ ଶେଷ ହୋଇଥିବାବେଳେ ଉଭୟ ମେନ ଲାଇନରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି।

Tags: #BahanagaTrainTragedy #TrainAccidentinOdisha #TrainMishap #IndianRailway

 

Comment