ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବଗୁଡ଼ିକୁ ଚିହ୍ନଟ ପାଇଁ ଏବେ ଭୁବନେଶ୍ଵର ଏମ୍ସରେ ଆରମ୍ଭ ହୋଇଛି ଡିଏନଏ ଟେଷ୍ଟିଂ ପ୍ରକ୍ରିୟା। ଏ ଯାଏଁ ଚିହ୍ନଟ ହୋଇପାରିନଥିବା ଶବଗୁଡ଼ିକର ଡିଏନଏ ଟେଷ୍ଟିଂ କରାଯାଇ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ। ମୃତଦେହଗୁଡ଼ିକୁ ଏବେ ଏମ୍ସରେ ସ୍ୱତନ୍ତ୍ର କଣ୍ଟେନରରେ ସଂରକ୍ଷିତ କରି ରଖାଯାଇଛି। ଏନେଇ ମଙ୍ଗଳବାର ଦିନ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

“ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବଗୁଡ଼ିକର ଚିହ୍ନଟ କରାଯାଇ ସେମାନଙ୍କ ପରିବାରକୁ ଦିଆଯାଉଛି। ଏ ଯାଏଁ ଏକାଧିକ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବାବେଳେ ଏବେ ବି ଅନେକ ଶବ ଚିହ୍ନଟ ହେବା ବାକି ଅଛି। ଶବ ଚିହ୍ନଟ ପ୍ରକ୍ରିୟା ଜଟିଳ ହେଉଥିବାରୁ ଏବେ ଡିଏନଏ ଟେଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, “ଏବେ ଡିଏନଏ ଟେଷ୍ଟ ପାଇଁ ୧୦ଟି ପରିବାର ନମୁନା ଦେଇଛନ୍ତି। ପରୀକ୍ଷା ରିପୋର୍ଟ ଆସିବାପରେ ଶବ ଚିହ୍ନଟ କରାଯାଇ ସେମାନଙ୍କୁ ହସ୍ତାନ୍ତର କରାଯିବ। ପାରାଦୀପରୁ ଆସିଥିବା ସ୍ୱତନ୍ତ୍ର କୁଲିଂ କଣ୍ଟେନରରେ ଶବଗୁଡ଼ିକୁ ରଖାଯାଇଛି।”

ଅନ୍ୟପଟେ ଏବେ ଏମ୍ସରେ ହେଉଥିବା ଡିଏନଏ ଟେଷ୍ଟ ପାଇଁ ପରିବାର ବର୍ଗଙ୍କ ନମୁନା ସଂଗ୍ରହ ଜାରି ରହିଛି। ଯେଉଁ ପରିବାର ଲୋକମାନେ ସେମାନଙ୍କ ଆତ୍ମୀୟଙ୍କୁ ଚିହ୍ନି ପାରୁ ନାହାନ୍ତି, ସେମାନେ ଡିଏନଏ ଟେଷ୍ଟ ପାଇଁ ନମୁନା ଦେଇପରିବେ। ଏଥିପାଇଁ ବିଏମସି ପକ୍ଷରୁ ହେଲ୍ପଲାଇନ ନମ୍ବର ୮୨୮୦୩୪୬୬୨୯ରେ ଯୋଗାଯୋଗ କରିବାକୁ କୁହାଯାଇଛି।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣ ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୭୬ ଜଣଙ୍କ ପରିଚୟ ମିଳିବା ସହ ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ଆହୁରି ୯୯ଟି ମୃତଦେହ ଚିହ୍ନଟ ହୋଇପାରିନି। ଭୁବନେଶ୍ୱର ଏମ୍ସରେ ଡିଏନଏ ଟେଷ୍ଟିଂ ପାଇଁ ସ୍ୱତନ୍ତ୍ର ଡେକ୍ସ ଖୋଲଯାଇଛି।

Tags: #BahanagaTrainTragedy #TrainAccidentinOdisha #TrainMishap #IndianRailway

 

Comment