ଓଡ଼ିଶାଲାଇଭ୍ ବ୍ୟୁରୋ

ନକ୍ସଲ ଆକ୍ରମଣରେ ଝାଡ଼ଖଣ୍ଡରେ ସହିଦ ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ସୁଶାନ୍ତ ଖୁଣ୍ଟିଆଙ୍କ ମା’ ପୁଅକୁ ଝୁରି ଝୁରି ଶନିବାର ଦିନ ଆଖି ବୁଜିଛନ୍ତି।

ପ୍ରଥମେ ସ୍ଵାମୀ ଏବଂ ତା’ ପରେ ଚାଲିଯାଇଥିଲେ ଦୁଇ ପୁଅ। ଗତ ଅଗଷ୍ଟ ୧୧ ତାରିଖରେ ଝାଡ଼ଖଣ୍ଡର କୋହ୍ଲାଣ ଜଙ୍ଗଲରେ ନକ୍ସଲଙ୍କ ସହ ମୁହାଁମୁହିଁ ବେଳେ ସହିଦ ହୋଇଥିଲେ ସୁନ୍ଦରୀ ଖଣ୍ଟିଆଙ୍କ ସାନ ପୁଅ ସୁଶାନ୍ତ ଖୁଣ୍ଟିଆ। ଘରର ଶେଷ ସନ୍ତକ ସାନ ପୁଅ ସହିଦ ହେବା ଖବର ଶୁଣିବା ପରେ ଅସୁସ୍ଥ ହୋଇପଡ଼ିଥିଲେ ମା’ ସୁନ୍ଦରୀ ଖୁଣ୍ଟିଆ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଗତ ୪ ଦିନ ହେଲା ସହିଦ ସୁଶାନ୍ତଙ୍କ ମା’ ଖାଇବା ପିଇବା ଛାଡ଼ିଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଏବେ ସହିଦଙ୍କ ସଂସାର ଉଜୁଡ଼ିଯାଇଛି। ମୁରବୀ ହୀନ ହୋଇଯାଇଛି ପରିବାର। ସହିଦଙ୍କ ପରିବାରରେ ଏବେ ଗର୍ଭବତୀ ପତ୍ନୀ ଓ ଭାଉଜ ଅଛନ୍ତି। ମାତ୍ର କିଛି ମାସର ସଂସାର କରିବା ପରେ ସ୍ଵାମୀଙ୍କୁ ସବୁ ଦିନ ପାଇଁ ହରାଇଛନ୍ତି ନବବିବାହିତା।

ସହିଦ ସୁଶାନ୍ତଙ୍କ ମା’ଙ୍କ ଦେହାନ୍ତ ପରେ ସ୍ତବ୍ଧ ହୋଇଯାଇଛନ୍ତି ଅଞ୍ଚଳବାସୀ। ସମସ୍ତଙ୍କ ମୁହଁରେ ସେ ଗୋଟିଏ କଥା ଉଜୁଡ଼ିଗଲା ସୁନ୍ଦରୀଙ୍କର ସୁନ୍ଦର ସଂସାର।

Tags: #SahidSushantKhuntia #SundariKhuntia #PassesAway

Comment