ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିବାକୁ ଯାଉଛି ୨୦୧୯ ବର୍ଷ। ନୂଆ ବର୍ଷର ସ୍ୱାଗତ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଚଳିତ ବର୍ଷର ଚର୍ଚ୍ଚିତ ଘଟଣାକୁ ଦୃଷ୍ଟି ଦେଲେ ଆତଙ୍କବାଦକୁ ବାଦ୍‌ ଦିଆଯାଇ ପାରିବନି। ୨୦୧୯ ବର୍ଷରେ ବିଶ୍ୱ ଆତଙ୍କବାଦୀ ତାଲିକାରୁ ଦୁଇ ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀଙ୍କ ନାଁ ସଫା ହୋଇଯାଇଛି। ସେମାନେ ହେଲେ ଆଇଏସ୍‌ ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦି ଏବଂ ଓସାମା ବିନ୍‌ ଲାଡେନ୍‌ ପୁଅ ହମ୍‌ଜା ବିନ୍‌ ଲାଡେନ୍‌।

ଆମେରିକା ହାତରେ ବାଗ୍‌ଦାଦି ନିହତ

ବିଶ୍ୱ ଇତିହାସରେ ୨୦୧୯ ମସିହା ଅକ୍ଟୋବର ୨୭ ତାରିଖ ଅଭୁଲା ଦିନ ଭାବେ ସ୍ଥାନ ପାଇବ। ଏହି ଦିନରେ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌(ଆଇଏସ୍‌)ର ମୁଖ୍ୟ ବକର ଅଲ୍‌ ବାଗ୍‌ଦାଦିର ମୃତ୍ୟୁ ହୋଇଥିଲା। ଆମେରିକା ଦ୍ୱାରା ସିରିଆରେ ହୋଇଥିବା ସିକ୍ରେଟ୍‌ ଅପରେସନରେ ବାଗ୍‌ଦାଦି ନିହତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଥିଲେ।

ବାଗ୍‌ଦାଦି ନିଜ ପରିବାର ସହ ସିରିଆର ଇଦ୍‌ଲିବ୍‌ ପ୍ରଦେଶରେ ଲୁଚି ରହିଥିଲା। ବାଗ୍‌ଦାଦିର ନୂଆ ଠିକଣା ଆମେରିକାର ସୁରକ୍ଷାବାହିନୀଙ୍କ ହାତରେ ଲାଗିବା ପରେ ଆରମ୍ଭ ହୋଇଥିଲା ଅପରେସନ ବାଗ୍‌ଦାଦି। ଅପରେସନ ବେଳେ ବାଗ୍‌ଦାଦି ଏକ ସୁଡ଼ଙ୍ଗରେ ଲୁଚି ରହିଥିବା ସନ୍ଧାନ କରିଥିଲା ଆମେରିକାର ଡଗ୍‌ ସ୍କ୍ୱାଡ୍‌। ସନ୍ଧାନୀ କୁକୁରମାନେ ଗୋଡ଼ାଇବାରୁ ଶେଷରେ ଆତ୍ମଘାତୀ ବମ୍‌ରେ ବାଗ୍‌ଦାଦି ନିଜକୁ ଉଡ଼ାଇ ଦେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାରା ବିଶ୍ୱକୁ ଏହି ଖୁସି ଖବର ଜଣାଇଥିଲେ।

ଜେହାଦୀ ପ୍ରିନ୍ସ ହମ୍‌ଜା ବିନ୍‌ ଲାଡେନ୍‌ ସଫା

୨୦୧୯ ବର୍ଷରେ ଆତଙ୍କବାଦୀଙ୍କ ତାଲିକାରୁ ସଫା ହୋଇଯାଇଛି। ଓସାମା ବିନ୍‌ ଲାଡେନ୍‌ର ପୁଅ ହମ୍‌ଜା ବିନ୍‌ ଲାଡେନ୍‌। ଓସାମା ବିନ୍‌ ଲାଡେନ୍‌ର ପରେ ତା’ ପୁଅ ହମ୍‌ଜା ବିନ୍ ଲାଡେନ୍ ଜେହାଦୀ ପ୍ରିନ୍ସ ଭାବେ ଅଲକାଏଦା ଆତଙ୍କୀ ସଂଗଠନ ଚଳାଉଥିଲା। ଚଳିତବର୍ଷ ଆଫଗାନିସ୍ତାନ-ପାକିସ୍ତାନ ସୀମା ଅଞ୍ଚଳରେ ଆମେରିକାର ଆତଙ୍କୀ ନିରୋଧୀ ଅପରେସନରେ ହମ୍‌ଜା ବିନ୍‌ ଲାଡେନ୍‌ର ମୃତ୍ୟୁ ହୋଇଥିଲା।

ହମ୍‌ଜାର ମୃତ୍ୟୁ ନେଇ ଗତ ସେପ୍ଟେମ୍ବର ୧୪ରେ ଆମେରିକା ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

ଲାଡେନ୍‌ର ମୃତ୍ୟୁ ପରେ ତା ପୁଅ ଆମେରିକା ପାଇଁ ଏକ ଚିନ୍ତାର କାରଣ ଥିଲା। ନିଜ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ହମ୍‌ଜା ଆମେରିକାକୁ ଧମକ ଦେଇଥିଲା। ହମ୍‌ଜାକୁ ଧରିବା ପାଇଁ ଆମେରିକା ଏକ ମିଲିୟନ୍‌ ଡଲାର (୭ କୋଟି ଟଙ୍କା) ପୁରସ୍କାର ଘୋଷଣା କରିଥିଲା। ତେବେ ଚଳିତବର୍ଷ ହମ୍‌ଜା ନିହତ ହୋଇଥିବା ଆମେରିକା ସ୍ପଷ୍ଟ କରିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

LEAVE A REPLY

Please enter your comment!
Please enter your name here