ଭାସ୍କର ପରିଚ୍ଛା

ଗତବର୍ଷ କେନ୍ଦ୍ର ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବଦଳରେ ସବୁଠାରୁ ଅଧିକ ଚାକିରି କାଟ କରିଥିବା ଅଭିଯୋଗ ହୋଇଛି। ରାଜ୍ୟସଭାରେ କାର୍ମିକ ମନ୍ତ୍ରୀ ଦୁଇଦିନ ତଳେ ଏକ ଲିଖିତ ଉତ୍ତରରେ କହିଥିଲେ ଯେ ୨୦୧୬-୧୭ରେ ଷ୍ଟାଫ୍ ସିଲେକ୍ସନ କମିଶନ, ୟୁପିଏସସି ଓ ରେଳବାଇ ଭର୍ତ୍ତି ବୋର୍ଡକୁ ଆସିଥିବା ନିଯୁକ୍ତି ପ୍ରସ୍ତାବ ସଂଖ୍ୟା ୨୦୧୫-୧୬ ତୁଳନାରେ ହ୍ରାସ ପାଇଥିଲା। ଗତ ବର୍ଷ ପ୍ରାୟ ବାର ହଜାର ଚାକିରି କମିଥିଲା। ୨୦୧୭ ବଜେଟ ଅଧିବେଶନରେ ମଧ୍ୟ କାର୍ମିକ ମନ୍ତ୍ରୀ କହିଥିଲେ ଯେ ୨୦୧୩ ତୁଳନାରେ ୨୦୧୫ରେ ୮୯ ପ୍ରତିଶତ କେନ୍ଦ୍ର ସରକାରୀ ଚାକିରୀରେ ହ୍ରାସ ପାଇଛି। ଏଣୁ ପ୍ରତି ବର୍ଷ ସରକାରୀ କର୍ମଚାରୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏହା ହେଉଛି ବାସ୍ତବତା।

ଗତ ପାର୍ଲାମେଣ୍ଟ ଅଧିବେଶନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ବଜେଟରେ ୨ ଲକ୍ଷ ୮୦ ହଜାର ଚାକିରି ପାଇଁ ବଜେଟ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି ସବୁ ଚାକିରି କାହାକୁ ମିଳିଲା ଓ କେମିତି ମିଳିଲା ସେ ସମ୍ପର୍କରେ ସରକାରଙ୍କ ନିକଟରେ ବି ଖବର ନାହିଁ।

୨୦୧୭ ବର୍ଷ ଆରମ୍ଭ ହୋଇଥିଲା ୫ ପ୍ରତିଶତ ଅଧିକ ବେରୋଜଗାର ସହିତ। ବର୍ଷ ଶେଷ ବେଳକୁ (ଡିସେମ୍ବର) ଏହା ସାମାନ୍ୟ କମିଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ପକ୍ଷରୁ କୁହାଯାଇଛି। କିନ୍ତୁ ଏଥିରେ କିଛି ଆଶ୍ୱାସନା ମିଳିବ ନାହିଁ।କାରଣ? ନୋଟବନ୍ଦୀ ପରେ ଯେତେ ଲୋକ ରୋଜଗାର ହରାଇଲେ ସେମାନେ ଆଉ ରୋଜଗାର ଫେରି ପାଇନାହାନ୍ତି। କେବଳ ସରକାରୀ ସ୍ତରରେ ନୁହେଁ ସଂଗଠିତ ଘରୋଇ କ୍ଷେତ୍ରରେ ବି ନିଯୁକ୍ତି ସୁଯୋଗ ଭୀଷଣ ଭାବେ ବାଧାପ୍ରାପ୍ତ ହୋଇଛି। ସତ କହିଲେ ଏଠି ଅବସ୍ଥା ଗୁରୁତର। ମୁମ୍ବାଇ ଷ୍ଟକ ଏକ୍ଶଚେଞ୍ଜରେ ଲିଷ୍ଟ ହୋଇଥିବା କମ୍ପାନିମାନଙ୍କରେ ଗତ ବର୍ଷ ଚାକିରି ସଂଖ୍ୟା ଢ଼େର ପରିମାଣରେ କମିଛି।

ଯଦି ଆମେ ବିଭିନ୍ନ କ୍ଷେତ୍ର କଥା ଆଲୋଚନା କରିବା, ପରିସ୍ଥିତି ଅତି ସଂଗିନ। ରୋଜଗାର କରିବା ପାଇଁ ଇଞ୍ଜିନିୟରିଂ ଡିଗ୍ରୀ ସବୁଠାରୁ ନିରାପଦ ବୋଲି ଗୋଟିଏ ସମୟରେ କୁହାଯାଉଥିଲା। କିନ୍ତୁ ସତର ମସିହାରେ ସମଗ୍ର ଦେଶରେ ୧୨୨ଟି ଇଞ୍ଜିନିଅରିଂ କଲେଜ ବନ୍ଦ ହୋଇଯାଇଛି।
ଆଇଆଇଟି,ଏନଆଇଟି, ଟ୍ରିପଲ ଆଇଟି ଭଳି ନାମୀ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଗତ ବର୍ଷ ପ୍ରାୟ ୬ ହଜାର ସିଟ୍ ଖାଲି ପଡ଼ିଥିଲା। ଗତ ମାସରେ ଆସୋଚାମ୍ ପକ୍ଷରୁ କୁହାଯାଇଛି ଯେ ଦେଶର ‘ବି’ ଶ୍ରେଣୀ ବିଜନେସ ସ୍କୁଲରୁ ବାହାରୁଥିବା ୨୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ନିକଟରେ କୌଣସି ଜବ୍ ଅଫର ନାହିଁ।

କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି ଯେ ନିରୋଳା ଚାକିରି ଯୋଗାଇବା ପରିବର୍ତ୍ତେ ଏଭଳି ସୁଯୋଗ ସୃଷ୍ଟି ପାଇଁ ବ୍ୟବସ୍ଥା କରାଯାଇଛି ଯାହାଫଳରେ ଅଧିକ ରୋଜଗାର କରିବା ସମ୍ଭବ ହୋଇପାରିବ ଏବଂ ଅଧିକ ଲୋକ ଚାକିରି ଖଣ୍ଡେ ଯୋଗାଡ କରିପାରିବେ। ଷ୍ଟାର୍ଟଅପ୍ ଇଣ୍ଡିଆ ଓ ମୁଦ୍ରା ଯୋଜନା ଏଥିରୁ ଗୋଟିଏ  ଗୋଟିଏ। କିନ୍ତୁ ଏଥିରେ ଅନେକ ମୌଳିକ ସମସ୍ୟା ରହିଛି ଓ ଷ୍ଟାର୍ଟଅପ୍ ଗୁଡ଼ିକ ଆଦୌ ଷ୍ଟାର୍ଟ ହୋଇପାରୁନାହାନ୍ତି।

ବର୍ତ୍ତମାନ ଦେଶରେ ୧୨ କୋଟିରୁ ଅଧିକ ଯୁବକ ରୋଜଗାର ପାଇଁ ଲାଇନ ଲଗାଇଛନ୍ତି। ଏମାନଙ୍କ ଆଶାପୂରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ପଡିବ। ନଚେତ ମାମଲା ଦିନକୁ ଦିନ ସାଙ୍ଘାତିକ ହେବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

 

LEAVE A REPLY

Please enter your comment!
Please enter your name here