ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଇରାନ୍ ମଧ୍ୟରେ ୯ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଦୁଇ ଦେଶ ଆତଙ୍କବାଦ ବିରୋଧରେ ଏକାଠି ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଇରାନ ରାଷ୍ଟ୍ରପତି ହସନ ରୁହାନି। ଶେଷ ଦିନରେ ସେ ରାଷ୍ଟ୍ରପତି ଭବନ ଯିବା ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଦୁଇ ପାକ୍ଷିକ ଆଲୋଚନା ହୋଇଥିଲା।
ଦୁଇ ପାକ୍ଷିକ ଆଲୋଚନା ବେଳେ ଦୁଇ ଦେଶ ମଧ୍ୟରେ ସମ୍ପର୍କ, ବ୍ୟବସାୟ ଏବଂ ପୁଞ୍ଜି ନିବେଶ ଉପରେ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ ରାଷ୍ଟ୍ରପତି ହସନ ରୁହାନିଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ୯ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଡବଲ ଟ୍ୟାକ୍ସେସନ, କୃଷି, ଶକ୍ତି, ପ୍ରତିରକ୍ଷା ଏବଂ ପୁଞ୍ଜିନିବେଶ ଆଦି ସମ୍ପର୍କରେ ଚୁକ୍ତି ସ୍ବାକ୍ଷରିତ ହୋଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ରାଷ୍ଟ୍ରପତି ରୁହାନି ଭାରତ ଗସ୍ତରେ ଆସିଥିବାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ ହେବ। ଆତଙ୍କବାଦ ରୋକିବା ପାଇଁ ଦୁଇ ଦେଶ ମିଳିତ ଭାବେ କାମ କରିବେ।”
ରାଷ୍ଟ୍ରପତି ରୁହାନି ଗୁରୁବାରଠାରୁ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭବନରେ ତାଙ୍କୁ ଆଜି ଗାଡ୍ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପସ୍ଥିତ ଥିଲେ।