ଅସିତ ମହାନ୍ତି
କନହେଇ। କନହେଇଲାଲ ଦାସ। ରବି ପଟ୍ଟନାୟକଙ୍କ ‘ରାଗ ତୋଡ଼ି’ର ଭାଷାରେ କହିଲେ, ସେ “ଏକ ମଧୁର ଯନ୍ତ୍ରଣା, ଏକ ମଧୁସିକ୍ତ ବେଦନା।”
ଆଜିଠୁଁ ଠିକ୍ ୪୫ ବର୍ଷ ତଳର କଥା। ୧୯୭୫ ମସିହା, ଜୁଲାଇ ୨୬ ତାରିଖ ରାତି। ସେ ରାତି ପୂରା ପାହିନାହିଁ, ଚାଲିଗଲେ କନ୍ହେଇଲାଲ। ଏହି ଅଦ୍ଭୁତ ପ୍ରତିଭାବାନ୍, ଯୁବ କଥାକାରଙ୍କର ଆୟୁକାଳ ଥିଲା ମାତ୍ର ୨୮ ବର୍ଷ। ତାଙ୍କ ଲେଖାଲେଖିର ବୟସ କିନ୍ତୁ ଆହୁରି କମ୍। ପ୍ରାୟ ଆଠବର୍ଷ। କାରଣ, ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ‘ବିବର୍ତ୍ତନବାଦ’ର ପ୍ରକାଶକାଳ ଫେବ୍ରୁଆରୀ,୧୯୬୮ ଓ ମୃତ୍ୟୁପରେ ପ୍ରକାଶିତ ଶେଷଗଳ୍ପ ‘ଧ୍ରୁତରାଷ୍ଟ୍ରର ଆଖି’ର ପ୍ରକାଶକାଳ ଅଗଷ୍ଟ, ୧୯୭୫। ଏହି ଦୁଇ ଗଳ୍ପ ମଧ୍ୟରେ ବ୍ୟବଧାନ ମାତ୍ର ସାତବର୍ଷ ସାତମାସ।
ଅଥଚ, ଏହି ପ୍ରାୟ ଆଠବର୍ଷ ମଧ୍ୟରେ କନ୍ହେଇଲାଲ ଲେଖିଯାଇଥିଲେ ଶତାଧିକ ଗଳ୍ପ ଓ ଦୁଇଟି ଉପନ୍ୟାସ। କିନ୍ତୁ ବିୟୋଗ ବେଳକୁ ତାଙ୍କର ଖଣ୍ଡିଏ ବି ବହି ପ୍ରକାଶ ପାଇନଥିଲା। ଏପରିକି, ସମସାମୟିକ କଥାକାର ଜଗଦୀଶ ମହାନ୍ତିଙ୍କ ସହ ମିଶି ଏକ ମିଳିତ ଗଳ୍ପପୁସ୍ତକ ପ୍ରକାଶ କରିବାର ସ୍ୱପ୍ନ ବି ରହିଯାଇଥିଲା ଅସମାପ୍ତ।
କନ୍ହେଇଲାଲଙ୍କ ବିୟୋଗ ପରେ, ‘ନବତରଙ୍ଗ’ ପତ୍ରିକାର ୧୯୭୫, ପୂଜାସଂଖ୍ୟାରେ ‘ଜୀବନଯାପନ’ ଶୀର୍ଷକରେ ଗୋଟିଏ ଲେଖା ଲେଖିଥିଲେ ରତିରଂଜନ ମିଶ୍ର। ତାହା ଥିଲା କନ୍ହେଇଲାଲଙ୍କ ସହ ତାଙ୍କର ଅନ୍ତରଙ୍ଗ ସ୍ମୃତିର ଆଲେଖ୍ୟ। ସେଥିରେ ରତିରଂଜନ ଦେଇଥିବା ସୂଚନା ଅନୁସାରେ, ନିଜର ପ୍ରକାଶିତ ଗଳ୍ପଗୁଡ଼ିକୁ ନେଇ ଚାରିଟି ସଂକଳନର ଯୋଜନା କରିଥିଲେ କନ୍ହେଇଲାଲ। ତାହାର ନାଆଁ ରଖିଥିଲେ, ୧. ମାନସାଙ୍କ, ୨. ସାଙ୍କେତିକ, ୩. ଜୀବନଯାପନ, ୪. ଯାହା ଯେମିତି ହୁଏ।
ମୃତ୍ୟୁପୂର୍ବରୁ ଅନ୍ତତଃ ଗୋଟିଏକୁ ଛାପା ରୂପରେ ଦେଖିବାର ଇଚ୍ଛା ତାଙ୍କର ଥିଲା। ସେଥିପାଇଁ କବି ସୈାଭାଗ୍ୟ କୁମାର ମିଶ୍ର ଓ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କୁ ସେ ଅନୁରୋଧ ବି କରିଥିଲେ। କିନ୍ତୁ ଶେଷ ପର୍ଯ୍ୟନ୍ତ ସେ ଇଚ୍ଛା ପୂରଣ ହୋଇପାରିନଥିଲା। ୨୬ ଜୁଲାଇର କାଳରାତି ପରେ, ୨୭ ତାରିଖର ସୂର୍ଯ୍ୟ ଉଠିବା ଆଗରୁ କନ୍ହେଇଲାଲଙ୍କ ଜୀବନର ସୂର୍ଯ୍ୟାସ୍ତ ହୋଇଗଲା। ସମୟ ଥିଲା ଭୋର୍ ୩ଟା ୪୫ ମିନିଟ୍। ସେଥିପାଇଁ ୨୭ ତାରିଖକୁ ହିଁ ତାଙ୍କର ବିଦାୟର ତାରିଖ ଭାବରେ ଗଣାଯାଏ।
ସେଦିନ ପ୍ରଚୁର ସମ୍ଭାବନାପୂର୍ଣ୍ଣ ସେହି ଯୁବ କଥାକାରଙ୍କ ମୃତ୍ୟୁରେ ସାରା ଓଡ଼ିଶାରେ ଚହଳ ପଡ଼ିଥିଲା। କାରଣ, ସେହି ସ୍ୱଳ୍ପକାଳର ସୃଜନ ଅବଧିରେ ଅନେକଙ୍କର ହୃଦୟରେ ସେ ସ୍ଥାୟୀ ଆସନ ପାତିସାରିଥିଲେ।
କନ୍ହେଇଲାଲଙ୍କ ବିୟୋଗ ପରେ, ସେଦିନ ତାଙ୍କର ବନ୍ଧୁ ଓ ଶୁଭେଚ୍ଛୁମାନେ ଗଢିଥିଲେ ‘କନ୍ହେଇଲାଲ ସ୍ମୃତିରକ୍ଷା କମିଟି’ ନାମରେ ଏକ ଅନୁଷ୍ଠାନ। ଓଡ଼ିଶାର ସାହିତ୍ୟ ଜଗତରେ ତାଙ୍କର ବିୟୋଗରେ ସୃଷ୍ଟି ହୋଇଥିବା ଭାବାଳୁତାକୁ ନେଇ ସ୍ମୃତି କମିଟି ପକ୍ଷରୁ ବିଜ୍ଞପ୍ତିମୂଳକ ସମ୍ବାଦଟିଏ ମଧ୍ୟ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା। ତାହାର ବିଷୟ ଥିଲା- କନ୍ହେଇଲାଲଙ୍କ ସମଗ୍ର ରଚନାବଳୀର ଏକ ସମୃଦ୍ଧ ସଂକଳନ ଯଥାଶୀଘ୍ର ପ୍ରକାଶ ପାଇବ। ଯେଉଁମାନେ ସେହି ସଂକଳନର ଅଗ୍ରୀମ ଗ୍ରାହକ ହେବେ, ସେମାନେ ୧୦ଟଙ୍କା ଦେଇ ନିଜନିଜର ନାମ ପଞ୍ଜୀକୃତ କରନ୍ତୁ। ପ୍ରକାଶ ପାଇବା ପରେ ସଂକଳନଟିର ମୂଲ୍ୟ ଯଥେଷ୍ଟ ଅଧିକ ହେଲେ ମଧ୍ୟ, ସେମାନଙ୍କୁ ସେହି ମୂଲ୍ୟରେ ତାହା ଯୋଗାଇ ଦିଆଯିବ।
କହିବା ଅନାବଶ୍ୟକ ଯେ କନ୍ହେଇଲାଲଙ୍କ ମୃତ୍ୟୁର ଶୋକଛାୟା ସେତେବେଳକୁ ଅନେକଙ୍କୁ ଆଚ୍ଛନ୍ନ କରିରଖିଥିଲା। କନ୍ହେଇପ୍ରେମୀ ପାଠକ ପାଠିକା ବି ଝୁରି ହେଉଥିଲେ ଅକାଳରେ ଝରିଯାଇଥିବା ସେହି ଯୁବ କଥାଶିଳ୍ପୀଙ୍କୁ। ଫଳରେ, ସେଥିପାଇଁ ସାଧୁବାଦ କେବଳ ମିଳିଲା ନାହିଁ; ଅର୍ଥ ବି ଆଦାୟ ହେଲା ବେଶ୍। ତେବେ, ‘କନ୍ହେଇଲାଲ ସ୍ମୃତିରକ୍ଷା କମିଟି’ର ସଭାପତି ତଥା ‘ଚୁମ୍ବକ’ ପତ୍ରିକାର ସଂପାଦିକା ଶୈଳବାଳା ମହାନ୍ତି ସେ ବାବଦରେ ଗୋଟିଏ ହିସାବ ଦେଇଛନ୍ତି। ସେହି ହିସାବ କହେ, ସେତେବେଳେ ସେ ବାବଦରେ ଆଦାୟ ହୋଇଥିଲା ୧୮୫୦ ଟଙ୍କା। କିନ୍ତୁ ଶେଷସୁଦ୍ଧା ଯେଉଁ ପୁସ୍ତକଟି ପ୍ରକାଶ ପାଇଲା, ବିଜ୍ଞପ୍ତି ଅନୁରୂପେ ତାହା କନ୍ହେଇଲାଲଙ୍କ ରଚନାର ସମଗ୍ର ସଂକଳନ ନଥିଲା। ଥିଲା ୧୦୩ଟି ମଧ୍ୟରୁ କେବଳ ୧୩ଟି ଗଳ୍ପକୁ ନେଇ, ‘ଜୀବନ ଯନ୍ତ୍ରଣା ଓ ଯାହା ଯେମିତି ହୁଏ’ ଶୀର୍ଷକରେ ମାତ୍ର ୯୨ (୮୪+୮) ପୃଷ୍ଠାର ଏକ ଶୀର୍ଣ୍ଣ ସଂକଳନ। ମୂଲ୍ୟ ଥିଲା ମାତ୍ର ୫ ଟଙ୍କା। ମିହିର ପଟ୍ଟନାୟକ ତାହାର ମୁଖବନ୍ଧରେ ସ୍ୱୀକାର ମଧ୍ୟ କରିଛନ୍ତି ଯେ “ଓଡ଼ିଆ ସାହିତ୍ୟ ପାଇଁ ସେ ଛାଡ଼ି ଯାଇଛନ୍ତି ପ୍ରାୟ ୧୦୦ଟି ଗଳ୍ପ।” ଅର୍ଥାତ୍, କନ୍ହେଇଲାଲଙ୍କର ବାକି ୮୭ଟି ବା ୯୦ଟି ଗଳ୍ପ ଥିଲେ ବି ତାହା ସଂକଳିତ ହୋଇନଥିଲା; ଉପନ୍ୟାସ ଓ ଅନ୍ୟାନ୍ୟ ରଚନା ତ ଦୂରର କଥା। ସଂକଳନଟି ମଧ୍ୟ ଥିଲା ଖୁବ୍ ଦୁଃସ୍ଥ ଓ ଦୟନୀୟ। (ଛବି ପ୍ରଦତ୍ତ)
ସେହି ଦୁଃସ୍ଥ, ଦୟନୀୟ ଓ ଶୀର୍ଣ୍ଣକାୟ ସଂକଳନଟିର ପ୍ରକାଶନ ପରେ ବିତିଗଲା ଆହୁରି ପ୍ରାୟ ପାଞ୍ଚବର୍ଷ। କିନ୍ତୁ ‘ସ୍ମୃତିରକ୍ଷା କମିଟି’ ପକ୍ଷରୁ, କନ୍ହେଇଲାଲଙ୍କ ସ୍ମୃତିରକ୍ଷା ପାଇଁ ଆଉ କୌଣସି କାର୍ଯ୍ୟ ହେଲା ନାହିଁ। ପ୍ରଥମ କେତୋଟି ମାସ ବା ବର୍ଷେ ଦି’ବର୍ଷର ଭାବାବେଗ ଧୂମିଳ ହୋଇଗଲା। ନିଜ ନିଜର ଜୀବନ ଜଞ୍ଜାଳ ଆଗରେ। ପରେ ପରେ ସମସ୍ତେ ଯେମିତି ଭୁଲିଗଲେ କନ୍ହେଇଲାଲଙ୍କୁ।
କନ୍ହେଇଲାଲଙ୍କ ସ୍ମୃତିରକ୍ଷାର ଏକମାତ୍ର ଉପାୟ ଥିଲା ତାଙ୍କ ରଚନାବଳୀର ସଂକଳନ। ତେଣୁ ତାହାହିଁ ଥିଲା ‘କନ୍ହେଇ କଥାଘର’ ସଂକଳନ ପାଇଁ ଆମ ଉଦ୍ୟମର ମୁଖ୍ୟ କାରଣ। ବଡ଼ ବଡ଼ମାନେ ଫସରଫାଟି ଯିବାପରେ, ସାନ ସାନମାନେ ବେସର ବାଟିବାକୁ ଆସିବାପରି ଏକ ଉଦ୍ୟମ।
ପ୍ରାୟ ୧୯୮୧ ବେଳକୁ ଆରମ୍ଭ ହେଲା ଭୁବନେଶ୍ୱରର ଚିହ୍ନା ଜଣା ଲୋକଙ୍କର ଘର ଘର ବୁଲି ବିଭିନ୍ନ ପତ୍ରପତ୍ରିକାରୁ କନ୍ହେଇଲାଲଙ୍କ ଲେଖାଗୁଡ଼ିକର ସଂଗ୍ରହ। ତା’ ସହିତ ଆରମ୍ଭ ହେଲା ଶୈଳବାଳା ମହାନ୍ତିଙ୍କ ପାଖରେ ଥିବା କନ୍ହେଇଲାଲ ଦାସଙ୍କ ଲେଖାଫାଇଲଟିର ସନ୍ଧାନ। ଅନୁଜପ୍ରତିମ ବନ୍ଧୁ ତଥା କବି ଅଜିତ କୁମାର ଦାଶମହାପାତ୍ର ଥିଲେ ଶୈଳବାଳା ମହାନ୍ତିଙ୍କ ପରିବାରର ଘନିଷ୍ଠ। ସେତେବେଳକୁ ଶୈଳବାଳାଙ୍କର ବି ବିୟୋଗ ଘଟି ସାରିଥିଲା। ଅଜିତଙ୍କ ସହିତ ଯାଇ ସନ୍ଧାନ ନେବାରେ ତାଙ୍କ କନ୍ୟାଙ୍କଠାରୁ ସୂଚନା ମିଳିଲା ଯେ, ଶୈଳବାଳାଙ୍କ ବିୟୋଗର କିଛିଦିନ ପରେ, କନ୍ହେଇଲାଲଙ୍କର ଜଣେ ବନ୍ଧୁ ଫାଇଲଟିକୁ ମାଗିନେଇ ଆଉ ଫେରାଇ ନାହାନ୍ତି। ବିଭିନ୍ନ ଭାବରେ ଯୋଗାଯୋଗ କରିବା ପରେ ବି ତାଙ୍କଠାରୁ କୌଣସି ଉତ୍ତର ବା ସୂଚନା ମିଳିଲା ନାହିଁ। ସେହି ଫାଇଲଟି ଏଯାଏ ନିଖୋଜ ଅଛି। ମନେହୁଏ, ତାହା ଥିଲା କନ୍ହେଇଲାଲଙ୍କ ମୃତ୍ୟୁ ପରେ ତାଙ୍କୁ ଆଉଥରେ ମାରିଦେବାର ଏକ ହୀନ ଚକ୍ରାନ୍ତ।
ଆଜି କିନ୍ତୁ କନ୍ହେଇଲାଲ ମରିନାହାନ୍ତି। ସେ ସଂଜୀବିତ ରହିଛନ୍ତି ‘କନ୍ହେଇ କଥାଘର’ ଭିତରେ। କନ୍ହେଇଲାଲଙ୍କ ବିୟୋଗ ପରେ, ବାଲେଶ୍ୱରର ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ ‘କହ୍ନେଇନାମା’ ନାମରେ ଏକ ସୁଦୃଶ୍ୟ ସ୍ମାରକୀ ସଂକଳନ ପ୍ରକାଶ କରିଥିଲେ କବି ତଥା କନ୍ହେଇଲାଲଙ୍କର ଶୁଭେଚ୍ଛୁ ଓ ଅଭିଭାବକ ବ୍ରଜନାଥ ରଥ। ସେ ଏଥିପାଇଁ ଅକାତରରେ ସହଯୋଗର ହାତ ବଢାଇ ଦେଇଥିଲେ। ଆଜି ମନେ ପଡୁଛି, ସେତେବେଳେ ଜେରକ୍ସ ସୁବିଧା ନଥିଲା। ତେଣୁ, ଦିନ ପରେ ଦିନ ତାଙ୍କ ବାଲେଶ୍ୱର ଘରେ ବସି, ପୁରୁଣା ପତ୍ର ପତ୍ରିକାରୁ କନ୍ହେଇଲାଲଙ୍କ ଲେଖାସବୁ ମୁଁ ଟିପି ଆଣିଥିଲି। ଏ ସଂକଳନ ପାଇଁ କନହେଇଲାଲଙ୍କ ମାଆ ଅନିଲାବାଳା ଓ ଭାଇ ରବୀନ୍ଦ୍ରଙ୍କ ଠାରୁ ଅନୁମତି ପତ୍ର ଆଣିବାରେ ସମସ୍ତ ସହଯୋଗ କରିଥିଲେ, କନହେଇଲାଲଙ୍କର ବନ୍ଧୁ ତଥା କଥାକାର ନାରୁ ମହାନ୍ତି।
ପରିଶେଷରେ, କନ୍ହେଇଲାଲଙ୍କ ବିୟୋଗର ୧୧ ବର୍ଷ ପରେ, ୧୯୮୬ ମସିହାର ପବିତ୍ର ନେତ୍ରୋତ୍ସବ ଅବସରରେ, ଭୁବନେଶ୍ୱରର ସୂଚନା ଭବନ ପ୍ରେକ୍ଷାଳୟରେ ଉନ୍ମୋଚିତ ହେଲା ‘କନ୍ହେଇ କଥାଘର’। ଆଗ୍ରହର ସହ ତାହାକୁ ପ୍ରକାଶ କରିଥିଲେ ଫ୍ରେଣ୍ଡସ ପବ୍ଲିଶର୍ସର ମୁଖ୍ୟ ସହଦେବ ପ୍ରଧାନ। ସେଦିନର ସଭାରେ ଉନ୍ମୋଚକ ଭାବରେ ଯୋଗ ଦେଇ ସେହି ଉଦ୍ୟମର ଉଚ୍ଚ ପ୍ରଶଂସା କରିଥିଲେ ଜ୍ଞାନପୀଠ ବିଜେତା କବି ସୀତାକାନ୍ତ ମହାପାତ୍ର।
ଆଜି କହିବାରେ ମୋର କୁଣ୍ଠା ନାହିଁ ଯେ, ମୋର ସେତେବେଳର ସ୍ୱଳ୍ପ ବେତନରେ, ସୂଚନାଭବନର ସେହି ଭବ୍ୟ ସଭାର ଆୟୋଜନ କରିବା ଆମ ପକ୍ଷରେ ସମ୍ଭବ ନଥିଲା। ଅନ୍ୟତମ ସହଯୋଗୀ ପ୍ରଦୀପ୍ତ ଶ୍ରୀଚନ୍ଦନଙ୍କର ରୋଜଗାର ବି ଥିଲା ସ୍ୱଳ୍ପ। ତେଣୁ ସଭା ପାଇଁ ମାସିକ ୫ ପ୍ରତିଶତ ସୁଧରେ ମୋତେ ଟଙ୍କା କରଜ ଆଣିବାକୁ ପଡ଼ିଥିଲା ‘ସମାବେଶ’ ଦିନର ଜଣେ ପୂର୍ବ ସହକର୍ମୀଙ୍କଠାରୁ।
କିନ୍ତୁ ସେ ସଂପର୍କରେ ସବୁଠୁ ସ୍ମରଣୀୟ କଥାଟି ହେଉଛି, ସମ୍ଭବତଃ ସେଦିନ ପ୍ରଥମଥର ପାଇଁ, ନିରକ୍ଷରା, ଦୁଃଖୀ ଓ ବିଧବା ମାଆଟିଏ, ରାଜଧାନୀ ସହରର ଶୀତତାପ ନିୟନ୍ତ୍ରିତ, ସମ୍ଭ୍ରାନ୍ତ, ଉଜ୍ଜ୍ୱଳ ବିଦ୍ୟୁତ୍ ଆଲୋକ ଉଦ୍ଭାସିତ ମଞ୍ଚର ପାହାଚ ଚଢ଼ିଥିଲା- ନିଜ ପୁଅର ଲେଖା ବହିର ପ୍ରଥମ ଖଣ୍ଡଟିକୁ ଗ୍ରହଣ କରିବାପାଇଁ। ସେଦିନ ସମଗ୍ର ପ୍ରେକ୍ଷାଳୟ ଯେତେବେଳେ କରତାଳିରେ ଉଛୁଳି ଉଠୁଥିଲା, ସେତେବେଳେ ଭରପୂର ଦର୍ଶକ ଦେଖିଥିଲେ ସେଇ ମାଆଟିର ଆଖିର ଦୁଇବୁନ୍ଦା ଲୁହ।
ଏ ଭିତରେ, ୨୦୧୪ରେ ‘କନ୍ହେଇ କଥାଘର’ର ଦ୍ୱିତୀୟ, ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଛି, ସେହି ଫ୍ରେଣ୍ଡସ ପବ୍ଲିଶର୍ସରୁ। ପ୍ରଥମ ସଂସ୍କରଣରେ ଥିଲା ୪୪ଟି ଗଳ୍ପ, ଦୁଇଟି ଉପନ୍ୟାସ, ଚାରିଟି କବିତା, ଦୁଇଟି ମିନିଗଳ୍ପ ଓ ଗୋଟିଏ ରମ୍ୟରଚନା ସହିତ କନ୍ହେଇଲାଲ ଦାସଙ୍କ ଡାଏରିର ସମ୍ପାଦିତ ଅଂଶ। ଦ୍ୱିତୀୟ ସଂସ୍କରଣରେ ଯୋଡ଼ା ହୋଇଛି ଆହୁରି ୧୪ଟି ଦୁଷ୍ପ୍ରାପ୍ୟ ଗଳ୍ପ ଏବଂ କନ୍ହେଇଲାଲଙ୍କୁ ଲେଖା ଚିଠିର ଏକ ଗୁଚ୍ଛ। ଅନ୍ୟାନ୍ୟ ବହୁ ମୂଲ୍ୟବାନ ସାମଗ୍ରୀ ମଧ୍ୟ ସାତଟି ପରିଚ୍ଛେଦରେ ସଂଯୋଜିତ ହୋଇଛି। ‘ଶେଷ ଓ ଶ୍ରେଷ୍ଠ ପ୍ରେମଗଳ୍ପ’ ଓ ‘ନାମହୀନ ଶେଷ ଗଳ୍ପ’ ନାମରେ ଆଉ ଦୁଇଟି ଗଳ୍ପ ମଧ୍ୟ ସ୍ଥାନ ପାଇଛି। ଏହା ସହିତ ପ୍ରଥମକରି ସଂଯୋଜିତ ହୋଇଛି ‘କନ୍ହେଇ-କଥା’ ନାମରେ କନହେଇଲାଲ ଦାସଙ୍କ ଜୀବନବୃତ୍ତାନ୍ତ। ଏହି ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା ୨୦୧୪ ମସିହାର ଜୁଲାଇ ୨୭ ତାରିଖରେ, କନ୍ହେଇଲାଲ ଦାସ ପଢିଥିବା ସ୍କୁଲଘରେ। ବହିଟିର ପୃଷ୍ଠା ସଂଖ୍ୟା ୫୫୬।
ରତିରଂଜନ ମିଶ୍ର ତାଙ୍କ ପୂର୍ବ ସୂଚିତ ସ୍ମୃତିଲେଖରେ ଲେଖିଥିଲେ, କନହେଇଲାଲଙ୍କ ମୃତ୍ୟୁ ପରେ, ତାଙ୍କ ପାଖରେ ଥିଲା କନହେଇଲାଲଙ୍କର ଚାରିଟି ଡାଏରି, ୩୨ଟି ଚିଠି ଓ ୧୫୭ଟି ଫଟୋ। ଲେଖାଥିବା ଫାଇଲଟି ପରି ସେଗୁଡ଼ିକ ବି ଏବେ ନିଖୋଜ। ପ୍ରଥମ ସଂସ୍କରଣର ପ୍ରକାଶ ଅବସରରେ ବହୁ କଷ୍ଟରେ ଆମେ ତିନିଟି ଡାଏରି ଉଦ୍ଧାର କରିବାରେ ସକ୍ଷମ ହୋଇଥିଲୁ। ତାହାର ସମ୍ପାଦିତ ଅଂଶ ‘କନ୍ହେଇ କଥାଘର’ରେ ସଂକଳିତ ମଧ୍ୟ ହୋଇଛି। କିନ୍ତୁ, ବାକି ଗୋଟିଏ ଡାଏରି ଆଜି ବି ନିଖୋଜ ଅଛି।
କନ୍ହେଇଲାଲଙ୍କ ମୃତ୍ୟୁକୁ ଆଜି ୪୫ ବର୍ଷ ହେଲା। ଏବେ ଅନ୍ତତଃ ତାଙ୍କର ବନ୍ଧୁ ଲୁଚାଇ ରଖିଥିବା ସେଇ ଫାଇଲଟିକୁ କାଢନ୍ତୁ! କନ୍ହେଇଲାଲଙ୍କର ସମଗ୍ର ରଚନା ଲୋକଲୋଚନକୁ ଆସୁ !!
ମୁଁ ଜାଣେନା, ସେ ସୁଦିନ କେବେ ଆସିବ କି ନା। ତେବେ ଏତିକି ବିଶ୍ୱାସ ଅନ୍ତତଃ ଅଛି ଯେ ତାହା କେବେ ନଆସିଲେ ବି ଓଡ଼ିଆ ସାହିତ୍ୟରେ କନ୍ହେଇଲାଲ ମରିବେ ନାହିଁ। ‘କନହେଇ କଥାଘର’ ଥିବାଯାଏ ସେ ରହିବେ। ମୁଖଶାଳାଟି ଭିତରେ କୋଣାର୍କ ପରି !!!
(ସୌଜନ୍ୟ – ସୋସିଆଲ ମିଡିଆ)