ଓଡ଼ିଶାଲାଇଭ ବ୍ୟୁରୋ

ଭାରତର ପ୍ରଥମ ମହିଳା ଡାକ୍ତର ରଖମାବାଇ ରାଉତ, ରାଣୀ ଭିକ୍ଟୋରିଆଙ୍କ ହସ୍ତକ୍ଷେପ ପରେ ତାଙ୍କ ବିବାହର ବୈଧତାକୁ ଖାରଜ କରିଦିଆଯାଇଥିଲା।

ଡାକ୍ତର ରଖମାବାଇ ରାଉତ। ୨୨ ନଭେମ୍ବର ୧୮୬୪ରେ ବମ୍ବେରେ ଜନ୍ମ ହୋଇଥିଲେ। ବ୍ରିଟିଶ୍ ଭାରତର ପ୍ରଥମ ମହିଳା ଡାକ୍ତରମାନଙ୍କ ମଧ୍ୟରେ ତାଙ୍କୁ ଗଣାଯାଏ। ହେଲେ ରଖମାବାଇଙ୍କ ଜୀବନ ଆଦୌ ସହଜ ନଥିଲା। ବ୍ରିଟିଶ୍ ଭାରତ, ପୁଣି ୧୮୬୪ ମସିହା, ସେତେବେଳେ ତ ଆଦୌ ସହଜ ନୁହେଁ। ପ୍ରଥମ ମହିଳା ଡାକ୍ତରମାନଙ୍କ ମଧ୍ୟରେ ଗଣାହେଉଥିବା ରଖମାବାଇଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଯାହାର ବିଚ୍ଛେଦ ବ୍ରିଟେନର ରାଣୀ ଭିକ୍ଟୋରିଆଙ୍କ ହସ୍ତକ୍ଷେପରେ ହୋଇଥିଲା।

ରଖମାବାଇଙ୍କ ମାଆ ୧୪ ବର୍ଷରେ ବିବାହ କରିଥିଲେ, ୧୫ ବର୍ଷରେ ରଖମାବାଇ ଜନ୍ମ ହୋଇଥିଲେ। ତାଙ୍କ ମାଆଙ୍କୁ ୧୭ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ବିୟୋଗ ହେଲା। ପରେ ସେ ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ। ଆଉ ରଖମାବାଇ ମଧ୍ୟ ତାଙ୍କ ସାବତ ବାପାଙ୍କ ସହ ରହୁଥିଲେ। ରଖମାବାଇଙ୍କୁ ଯେତେବେଳେ ୧୧ ବର୍ଷ ହୋଇଥିଲା, ସେତେବେଳେ ତାଙ୍କର ବାଲ୍ୟ ବିବାହ କରିଦିଆ ଯାଇଥିଲା। ହେଲେ ସେ ସ୍ୱାମୀଙ୍କ ଘରକୁ ଯାଇ ନ ଥିଲେ। ସେ ସାବତବାପାଙ୍କ ପ୍ରୋତ୍ସାହନରେ ଘରୁ ରହି ପଢ଼ିବା ଆରମ୍ଭ କରିଥିଲେ। ଯେତେବେଳେ ତାଙ୍କର ସ୍ୱାମୀ ତାଙ୍କ ପାଠପଢ଼ା ଉପରେ ଆପତ୍ତି ଉଠାଇଲେ, ଏବଂ ତାଙ୍କୁ ଘରକୁ ନେବାକୁ ଚାହିଁଲେ, ସେତେବେଳେ ସେ ମନାକରି ଦେଇଥିଲେ।ଏଠାରୁ ହିଁ ଆରମ୍ଭ ହୋଇଥିଲା ଏକ କୁସ୍କଂସାର ବିରୋଧୀ ଲଢ଼େଇ। ରଖମାବାଇଙ୍କ ସ୍ୱାମୀ ଦାଦାଜୀ ଭିକାଜି ଜଷ୍ଟିସ୍ ରବର୍ଟ ହିଲ୍ ପିନେହଙ୍କ କୋର୍ଟରେ ଏକ କେସ୍ କରିଥିଲେ। କେସ୍ ଅନୁସାରେ ସେ ତାଙ୍କ ପତ୍ନୀଙ୍କ ପାଖକୁ ଆସିବାକୁ ଦାବି କରିଥିଲେ। କିନ୍ତୁ ସେ ବିଚାରପତି ଜଣକ ପ୍ରଥମ ଶୁଣାଣିରେ ଉଲ୍ଲେଖ କରିଥିଲେ ଯେ, ଜଣେ ଝିଅର ବୁଝିବା ଶକ୍ତି ହୋଇ ନ ଥିବା ବେଳେ ହୋଇଥିବା ବିବାହକୁ ବୈଧ ବୋଲି ଗ୍ରହଣ କରାଯାଇପାରିବନାହିଁ। କିନ୍ତୁ ହିନ୍ଦୁ ବିବାହ ପ୍ରଥାକୁ ସମର୍ଥନ କରୁଥିବା ଲୋକ ଜଜଙ୍କ ନିଷ୍ପତ୍ତିକୁ ବିରୋଧ କରିବା ଆରମ୍ଭ କରିଥିଲେ।ତେବେ ଏକାଧିକ ଶୁଣାଣି ପରେ ଜଷ୍ଟିସ ରଖମାବାଇଙ୍କ ବିରୋଧରେ ରାୟ ଶୁଣାଇଥିଲେ। ୧୮୮୭ ମାର୍ଚ୍ଚ ୪ରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ତାଙ୍କୁ ସ୍ୱାମୀଙ୍କ ସହ ରହିବାକୁ ପଡ଼ିବ ନ ହେଲେ, ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ରଖମାବାଇ ସାହସର ସହ ଲେଖିଥିଲେ ଯେ, ସେ ଜେଲ୍ ଯିବାକୁ ପସନ୍ଦ କରିବେ ଶାଶୂଘରକୁ ନୁହେଁ। ଆଉ ଶେଷରେ ରାଣୀ ଭିକ୍ଟୋରିଆଙ୍କ ହସ୍ତକ୍ଷେପ ପରେ ଏହି ବିବାହର ବୈଧତାକୁ ଖାରଜ କରିଦିଆଯାଇଥିଲା।

ଅବଶ୍ୟ ପରେ ୨ ହଜାର ଟଙ୍କାର କ୍ଷତିପୂରଣ ନେଇ ଏହି ରଖମାବାଇଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ ଭିକାଜି। ଏହାପରେ ରଖମା ଇଂଲଣ୍ଡ ଯାଇ ଡାକ୍ତରୀ ପଢ଼ିଥିଲେ। ତାଙ୍କ ପାଇଁ ହି ବାଲ୍ୟ ବିବାହ ଉଚ୍ଛେଦ ଅଭିଯାନର ମୂଳଦୂଆ ପଡ଼ିଥିଲା। ଡାକ୍ତରୀ ପଢ଼ା ସରିବା ପରେ ସେ ରାଜକୋଟ ଡାକ୍ତରଖାନାରେ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ୩୫ ବର୍ଷ କାର୍ଯ୍ୟ କରିଥିଲେ। ୧୯୫୫ ମସିହା ସେପ୍ଟେମ୍ବର ୨୨ରେ ବମ୍ବେରେ ତାଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here