ଓଡ଼ିଶାଲାଇଭ୍ ବ୍ୟୁରୋ  

ଓଡ଼ିଶାର ବାଣିଜ୍ୟ କର ବିଭାଗରେ କାର୍ଯ୍ୟ କରୁଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ହେବ ନିୟମିତ। ଏନେଇ ବୁଧବାର ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ସ୍ଥାୟୀ ସହିତ ସେମାନଙ୍କୁ ସବୁ ସୁବିଧା ସୁଯୋଗ ଦେବା ପାଇଁ ହାଇକୋର୍ଟ କହିଛନ୍ତି।

ଓଡ଼ିଶା ହାଇକୋର୍ଟର ଦୁଇଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଡାଟା ଏଣ୍ଟ୍ରି ଅପରେଟରଙ୍କ ନିଯୁକ୍ତି ସ୍ଥାୟୀ କରିବା ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ଖଣ୍ଡପୀଠ ହାଇକୋର୍ଟ ଏହି ମମାଲାରେ ଦେଇଥିବା ପୂର୍ବ ରାୟକୁ ବଳବତ୍ତର ରଖିଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପରେ ୬ ବର୍ଷରୁ ଅଧିକ ଚାକିରି କରିଥିବା ଠିକା ଡାଟା ଏଣ୍ଟ୍ରି ଅପରେଟର ଉପକୃତ ହେବେ।

ଓଡ଼ିଶାରରେ ୨୦୦୬ ମସିହାରୁ ଆଉଟ ସୋର୍ସିଂ ଜରିଆରେ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ନିଯୁକ୍ତି ଆରମ୍ଭ ହୋଇଥିଲା। ସେମାନଙ୍କ ନିଯୁକ୍ତି ସ୍ଥାୟୀ ହୋଇନଥିବାରୁ ସେମାନେ କୌଣସି ସରକାରୀ ସୁବିଧା ସୁଯୋଗ ପାଉନଥିଲେ। ଏହାକୁ ନେଇ ଏକାଧିକ ଡାଟା ଏଣ୍ଟ୍ରି କର୍ମଚାରୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।


୨୦୨୧ ମସିହା ନଭେମ୍ବର ମାସରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଆବେଦନଗୁଡ଼ିକର ଶୁଣାଣି କରିଥିଲେ। ଏଥିରେ ରାଜ୍ୟ ସରକାରଙ୍କୁ  ଆଉଟସୋର୍ସିଂରେ କାମ କରୁଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅନ୍ୟପଟେ ଓଡ଼ିଶା ସରକାର ସେତେବେଳେ ଏହାକୁ ଚ୍ୟଲେଞ୍ଜ କରି ହାଇକୋର୍ଟରେ ଆଉ ଏକ ଆବେଦନ କରିଥିଲେ। ଯାହାକୁ ବୁଧବାର ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଖାରଜ କରିଛନ୍ତି।

Tags: #DataEntryOperators #ContractualJob #JobRegularization #OdishaHighCourt

 

LEAVE A REPLY

Please enter your comment!
Please enter your name here